ଓଡିଶାରେ ୬୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି । ଭିମସାର ଓ ଏମକେସିଜି କୋଭିଡ ହସପିଟାଲରେ ଖାଲି ନାହିଁ ବେଡ୍ ।

ସୁନ୍ଦରଗଡରୁ ଆସିଲା କରୁଣ ଚିତ୍ର,ପ୍ରତିଦିନ ଜଳୁଛି ଆକ୍ରାନ୍ତଙ୍କ ଜୁଇ

140

କନକ ବ୍ୟୁରୋ: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି । ଦୁଇ ଦିନ ଧରି ୩ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଆଜି ଦୈନିକ ସଂକ୍ରମଣ ୩୬ ଶହ ଟପି ଯାଇଛି । ଦୈନିକ ସଂକ୍ରମଣ ଆଗକୁ ଆହୁରି ସାଂଘାତିକ ରୂପ ନେବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ସଂକ୍ରମଣ ଯେପରି ଲମ୍ବା ଡିଆଁ ମାରି ଆଗକୁ ବଢୁଛି, ସେହି ଅନୁସାରେ ଆବଶ୍ୟକ ହେଉଛି ହସପିଟାଲ ବେଡ୍, ଆଇସିୟୁ, ଅକ୍ସିଜେନ୍, ଆଉ କରୋନା ଚିକିତ୍ସା ପାଇଁ ଔଷଧ । ସରକାରୀ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୩୦ ପ୍ରତିଶତ ବେଡ୍ ଏବଂ ୬୦ ପ୍ରତିଶତ ଆଇସିୟୁ ବେଡରେ ରୋଗୀ ଆଡମିସନ୍ ହୋଇଛନ୍ତି । କିନ୍ତୁ ବିଭିନ୍ନ କୋଭିଡ୍ ହସପିଟାଲର ଚିତ୍ର ଅଲଗା । ବେଡ୍ ସଂଖ୍ୟା ଠାରୁ ଅଧିକ ରୋଗୀ ଭର୍ତ୍ତି ହୋଇଗଲେଣି ।

  • ଓଡ଼ିଶାର ୬୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି
  • ଅକ୍ସିଜେନ୍ ଯୁକ୍ତ ବେଡ୍ ପାଇଁ ଚାଲିଛି ପ୍ରସ୍ତୁତି
  • ଏମକେସିଜି ଓ ଭିମସାର କୋଭିଡ୍ ହସ୍ପିଟାଲରେ ଖାଲି ନାହିଁ ବେଡ୍

ରୂପ ବଦଳାଉଥିବା ଭୂତାଣୁ, ଅଧିକ ସଂକ୍ରାମକ ଓ ଅଧିକ ଶକ୍ତିଶାଳୀ ହୋଇଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ତୁହାକୁ ତୁହା ବୈଠକ କରୁଛନ୍ତି ରାଜ୍ୟ ସରକାର । ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ୩୦ ପ୍ରତିଶତ ବେଡ୍ ପୂର୍ଣ୍ଣ ହୋଇଛି । ସେହିପରି ୬୨.୦୩ ପ୍ରତିଶତ ଆଇସିୟୁରେ ରହିଛନ୍ତି ରୋଗୀ । ଅକ୍ସିଜେନ୍ ଯୁକ୍ତ ବେଡ୍କୁ ୪ ଗୁଣ ଓ ଆଇସିୟୁ ବେଡ୍କୁ ୨ ଗଣ ବଢ଼ାଇବାକୁ ଯୋଜନା କରିଛନ୍ତି ସରକାର ।

ସେପଟେ ମେ’ ମାସରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଆକଳନ କରାଯାଉଥିବାରୁ ଆଗକୁ ସ୍ଥିତି ବିସ୍ଫୋରକ ହେବ ବୋଲି ଆଶଙ୍କା ରହିଛି । ତେଣୁ କୋଭିଡ୍ ପାଇଁ ଥିବା ଭିତ୍ତିଭୂମିକୁ ଦୁଇ ଗୁଣ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଦ୍ୱିତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେଉଥିବାରୁ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁ ଓ ଭେଂଟିଲେଟରର ଆବଶ୍ୟକତା ରହିଛି ।

ବର୍ତମାନ ରାଜ୍ୟରେ କୋଭିଡ୍ ଚିକିତ୍ସା ପାଇଁ ବେଡ୍ କିମ୍ବା ଆଇସିୟୁ ଅଭାବ ନଥିବା ସରକାର କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସମ୍ବଲପୁରର ବୁର୍ଲା କୋଭିଡ୍ ହସପିଟାଲରେ ଯେତିକି ବେଡ୍ ରହିଛି, ତା’ଠାରୁ ଅଧିକ ହୋଇଗଲେଣି ରୋଗୀ । ସମସ୍ତ ଆଇସିୟୁ ଭର୍ତ୍ତି ହୋଇଯାଇଛି । ୫୨୫ ବେଡର କୋଭିଡ୍ ଦ୍ୱିତୀୟ ହସ୍ପିଟାଲ ପାଇଁ କାମ ଚାଲିଛି । ତେବେ ଏଥିପାଇଁ ଆବଶ୍ୟକ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ଭିମସାର କର୍ତୃପକ୍ଷ ।

ସେପଟେ ଏମକେସିଜି କୋଭିଡ୍ ହସ୍ପିଟାଲର ସ୍ଥିତି ମଧ୍ୟ ସଂଗୀନ । ଏମକେସିଜିରେ ଭର୍ତ୍ତି ହୋଇଯାଇଛି ୨୪ଟି ଯାକ ଆଇସିୟୁ ବେଡ୍ । ସାଧାରଣ ଶଯ୍ୟା ମଧ୍ୟ ପୂର୍ଣ୍ଣ ହୋଇଯାଇଛି । ସୋମବାରଠାରୁ ଅଶ୍ୱିନୀ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ଗୋଟିଏ ପଟେ ହସ୍ପିଟାଲରେ ବେଡ୍ ଓ ଆଇସିୟୁର ଅଭାବ ଅନୁଭୂତ ହେଉଥିବା ବେଳେ ଅନ୍ୟପଟେ ସୁନ୍ଦରଗଡ଼ରେ ପ୍ରତିଦିନ ଜଳୁଛି କୋଭିଡ ରୋଗୀଙ୍କ ଜୁଇ । ଯାହାକି ସ୍ଥିତିର ଗମ୍ଭୀରତାକୁ ବୟାନ କରୁଛି । ଦ୍ୱିତୀୟ ଲହରରେ ସୁନ୍ଦରଗଡ଼ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ହୋଇଥିବା ବେଳେ ଏପ୍ରିଲ ୮ରୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ।