ଖଜୁରୀ ପତ୍ରରେ ସୁନ୍ଦର ସୁନ୍ଦର କଳାକୃତୀ। ଘରସଜା ଜିନିଷ ତିଆରି କରୁଛନ୍ତି କୁଚିଣ୍ଡା ଡିମିରିମୁଣ୍ଡାର ୭୩ ବର୍ଷୀୟ ମହିଳା।

81

କନକ ବ୍ୟୁରୋ: ଖଜୁରୀପତ୍ରରେ ସୂକ୍ଷ୍ମ କାରିଗରୀ । ଫୁଲଦାନୀ, ଫୁଲତୋଡା, ମୁକୁଟ ଓ ବ୍ୟାଚ୍ ଭଳି ସୁନ୍ଦର ସୁନ୍ଦର ଘରସଜା ଜିନିଷ ନିଜ ହାତରେ ତିଆରି କରୁଛନ୍ତି ମହିଳା । ଖଜୁରୀ ପତ୍ରକୁ ଫୁଲର ରୂପ ଦେଉଛନ୍ତି ଏମାନେ । ସବୁଠାରୁ ବଡ଼ କଥା ହେଉଛି ଏଭଳି ଚମକ୍ରାର କାରିଗରୀ କରୁଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡିମିରିମୁଣ୍ଡା ଗାଁର ୭୩ ବର୍ଷିୟା ମହିଳା କୁସୁମ ମହାକୁଳ । ସୁନ୍ଦର ସୁନ୍ଦର ପୁଷ୍ପଗୁଛ ତିଆରି କରିବା ସହିତ ଗାଁ ମହିଳାଙ୍କୁ ଏକାଠି କରି ଏକ ସ୍ୱୟଂ ସହାୟିକା ଗୋଷ୍ଠି ଗଢିବା ସହ ତାଲିମ ଦେଉଛନ୍ତି କୁସୁମ । ପ୍ରଥମେ ଖଜୁରୀ ପତ୍ରକୁ ସଂଗ୍ରହ କରି ଏହାକୁ ସୁଖାଇ ରଖିବାକୁ ପଡ଼ିଥାଏ । ଏହି ପତ୍ରରେ ଫୁଲ ତିଆରି କରିବା ପୂର୍ବରୁ ଏହାକୁ ପାଣିରେ ଭିଜାଇବାକୁ ପଡ଼ିଥାଏ । ମହିଳାମାନେ ତିଆରି କରୁଥିବା ଫୁଲର ଚାହିଦା ଅଧିକ ରହୁଥିବାରୁ ଏହାକୁ ବିକ୍ରି କରି କିିଛି ସେମାନେ କିଛି ରୋଜଗାର କରିପାରୁଛନ୍ତି । ଯାହାଦ୍ୱାରା ସେମାନେ ଆତ୍ମନିର୍ଭର ହୋଇପାରୁଛନ୍ତି ।

ସମ୍ବଲପୁର ଜିଲ୍ଲାପାଳ ଅନ୍ୟନ୍ୟା ଦାସ ଏହି ମହିଳାଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ଏହାକୁ ବାମଣ୍ଡା କୁସୁମ ନାମରେ ନାମିତ କରିଛନ୍ତି । ଏବଂ ମହିଳାମାନଙ୍କ ଗୋଷ୍ଠିକୁ ମଧ୍ୟ ସେହି ନାମରେ ନାମିତ କରାଯାଇଛି । ସମ୍ବଲପୁରରେ ଆୟୋଜିତ ସମାବର୍ତନ ଉତ୍ସବରେ ମଧ୍ୟ ରାଜ୍ୟପାଳଙ୍କୁ ଏହି ପୁଷ୍ପ ଗୁଛରେ ସମ୍ମାନିତ କରାଯାଇଥିଲା । ସାଧାରଣ ରଙ୍ଗବେରଙ୍ଗର ଫୁଲତୋଡା ଅପେକ୍ଷା ଖଜୁରୀ ପତ୍ରରେ ତିଆରି ଫୁଲ ତୋଡା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ପରିଶ୍ରମକୁ ଦେଖି ପାରିଶ୍ରମିକ ଅଧିକ ମିଳୁନଥିବାରୁ ସରକାରୀ ପ୍ରୋତ୍ସାହନ ଓ ତାଲିମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗ୍ରାମବାସୀ ।

ମହିଳା ମାନେ ନିଜର ଘର କାମ ପରେ ଦିନକୁ ୨ଘଣ୍ଟା ପରିଶ୍ରମ କରି ଏଭଳି ସୁନ୍ଦର ସୁନ୍ଦର ଜିନିଷ ତିଆରି କରୁଛନ୍ତି । ଏଥିରେ କୌଣସି କେମିକାଲ ରଙ୍ଗର ବ୍ୟବହାର କରାଯାଉନଥିବା ବେଳେ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖାଯାଇପାରିବ । ବିଭିନ୍ନ ମେଳା ମହୋତ୍ସବରେ ଏହାକୁ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରି କିଛି ରୋଜଗାର କରୁଛନ୍ତି ଏସଏଚଜି ମହିଳା । ତେଣୁ ଏହାର ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।