ଚେନ୍ନାଇରେ କମାଲ କଲେ ଭାରତୀୟ ସ୍ପିନର । ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ, ୩୧୭ ରନର ବଡ ବ୍ୟବଧାନରେ ବଡ ବିଜୟ ହାସଲ କଲା ବିରାଟ ବାହିନୀ । 

129

କନକ ବ୍ୟୁରୋ : ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଯାଦୁ ଆଗରେ ମୁଣ୍ଡ ନୁଆଁଇଲା ଟିମ୍ ଇଂଲଣ୍ଡ । ଦ୍ୱିତୀୟ ଟେଷ୍ଟରେ ୩୧୭ ରନରେ ଇଂଲଣ୍ଡକୁ ମାତ୍ ଦେଲା ବିରାଟ ବାହିନୀ । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର କରିଛନ୍ତି । ଆଉ ଏହାସହ ପ୍ରଥମ ଟେଷ୍ଟ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ ।

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବଡ ବିଜୟ ହାସଲ କରିଛି ବିରାଟ ବାହିନୀ । ୩୧୭ ରନର ବଡ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ୧-୧ରେ ସିରିଜ ବରାବର କରିଛି ଭାରତ । ଚତୁର୍ଥ ଇନିଂସରେ ମାତ୍ର ୧୬୪ ରନ କରି ଇଂଲଣ୍ଡ ଅଲଆଉଟ ହୋଇଛି । ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ଖେଳୁଥିବା ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୩ଟି ଓ କୁଳଦୀପ ଯାଦବ ୨ଟି ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଶେଷ ଆଡକୁ ମୋଇନ ଅଲ୍ଲୀ ଦ୍ରୁତ ୪୩ ରନ କରିଥିଲେ ମଧ୍ୟ ଇଂଲଣ୍ଡକୁ ପରାଜୟରୁ ରକ୍ଷା କରି ପାରିନଥିଲେ ।

ଏହାପୂର୍ବରୁ ଦ୍ୱିତୀୟ ଇନିଂସରେ ଭାରତର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ୧୦୬ ରନରେ ୬ଟି ୱିକେଟ ହରାଇ ଦଳ ସଙ୍କଟରେ ପଡିଥିବା ବେଳେ  ସଙ୍କଟମୋଚକ ସାଜି ଉଭା ହୋଇଥିଲେ ଅଶ୍ୱିନୀ । ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶତକ ସହ ଦଳର ସ୍କୋର ୨୮୬ରେ ପହଞ୍ଚାଇଥିଲେ ଅଶ୍ୱିନୀ । ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ କରିଥିବା ବେଳେ ଶତକ ସହ ଫର୍ମକୁ ଫେରିଥିଲେ ହିଟମ୍ୟାନ୍ ରୋହିତ ଶର୍ମା । ତେବେ ଇଂଲଣ୍ଡ ମାତ୍ର ୧୩୪ ରନରେ ଅଲଆଉଟ ହୋଇଥିଲା । ହୋମ ଗ୍ରାଉଣ୍ଡରେ ଖେଳୁଥିବା ଅଶ୍ୱିନୀ ପ୍ରଥମ ଇନିଂସରେ ୫ ୱିକେଟ ହାସଲ କରି ଇଂଲଣ୍ଡକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ ।