ଗଂଜାମ ପର୍ଯ୍ୟଟନ ସ୍ଥଳୀ ପାଇଁ ଆସିଲା ନୂଆ ଗାଇଡଲାଇନ ।  ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୋନପୁର ବେଳାଭୂମି

88

କନକ ବ୍ୟୁରୋ : ରାଜ୍ୟରେ ଧିରେ ଧିରେ ବଢୁଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ରାଜ୍ୟସରକାର ବି କଟକଣାକୁ କଡାକଡି କରିବାରେ ଲାଗିଛନ୍ତି । ଏହି କ୍ରମରେ ଗଂଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ ଲାଗିଛି କଟକଣା । ଜିଲ୍ଲାରେ ଥିବା ଗୋପାଳପୁର ଓ ସୋନପୁର ବେଳାଭୂମିକୁ ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ସାନିଟାଇଜ୍ କରିବାକୁ ବୁଧବାର ଦିନ ତାରାତାରେଣୀ ପୀଠ ବନ୍ଦ ରହିବ ବୋଲି କୁହାଯାଇଛି ।

ଅନ୍ୟପଟେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଗଂଜାମ ଜିଲ୍ଲାର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏହି ଯାତ୍ରାକୁ ପ୍ରଶାସନ ଅନୁମତି ଦେଇଥିଲେ ବି ଏଠାରେ କୋଭିଡ କଟକଣା କଡାକଡି ପାଳନ କରାଯିବ । ଏହାର ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ଆସିକାରେ ବାରୁଣୀ ସ୍ନାନ ଯାତ୍ରାକୁ ବନ୍ଦ କରିଛନ୍ତି ପ୍ରଶାସନ । ଏହାକୁ ନେଇ ଆସିକା ଅଂଚଳରେ ଥିବା ରୁଷିକୁଲ୍ୟା ନଦୀ ପାଶ୍ୱର୍ର ପାଂଚଟି ଗାଁରେ ଲାଗିଛି ୧୪୪ ଧାରା । ଜନସମାଗମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛି ଜିଲ୍ଲାପ୍ରଶାସନ । କଟକଣା ଲାଗିବା ପରେ ପୁରା ନଦୀ ତଟର ଚତ୍ରୁପାଶ୍ୱର୍କୁ ଜଗି ରହିଛି ପୋଲିସ । ଯେଉଁମାନେ ସେଠାକୁ ଆସୁଛନ୍ତି ପୋଲିସ ବାରଣ କରୁଥିବା ଦେଖିବାକୁ ମିଳିଛି ।