ଟେଲମା-୪୦ ଓ ଟେଲମା-ଏମଏମ ଖାଉଥିଲେ ସାବଧାନ। ଦାମୀ ବ୍ରାଣ୍ଡର ଖୋଳ ଭିତରେ ଥାଇପାରେ ନକଲି ଔଷଧ!

696

କନକ ବ୍ୟୁରୋ: ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଓ ଟେଲମା ଏମଏମକୁ ନେଇ ଔଷଧ ବଜାରରେ ହଇଚଇ । ଏହି ଦୁଇଟି ଔଷଧର ଠିକ୍ ଅବିକଳ ଦେଖାଯାଉଥିବା ନକଲି ଔଷଧ ବଜାରରେ ବିକ୍ରି ହେଉଥିବା ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ରାଜ୍ୟର ୭ଟି ଜିଲ୍ଲାର ବିଭିନ୍ନ ଔଷଧ ଦୋକାନରେ ଚଢାଉ କରିଛି ଡ୍ରଗ୍ସ କଣ୍ଟ୍ରୋଲ ଟିମ । ଔଷଧର ପରୀକ୍ଷା ନସରିବା ଯାଏଁ ବଜାରରେ ଯେପରି ଏହି ଔଷଧ ବିକ୍ରି ନହେବ ସେଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିସହ ସମସ୍ତ ଔଷଧ ଦୋକାନରୁ ଡିପୋକୁ ଅଣାଯାଇଛି ଔଷଧ । ଚଢାଉ ସମୟରେ ଜବତ ହୋଇଥିବା ଔଷଧକୁ ତିଆରି କରିଥିବା ସଂସ୍ଥା ଓ ଲ୍ୟାବକୁ ପଠାଯିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି । ତେବେ ଏହା ଅସଲି କି ନକଲି ତାହା ଜାଣିବା ପାଇଁ ଅତି କମରେ ୭ ଦିନ ଲାଗିବ ବୋଲି ସେ କହିଛନ୍ତି ।

ଦାମୀ ବ୍ରାଣ୍ଡର ମେଡିସିନ୍ଙ୍କୁ ନକଲ କରାଯାଇ ବଜାରକୁ ଛଡାଯାଉଥିବା ଅଭିଯୋଗ ହେବା ପରେ  କଟକର ମାଣିକଘୋଷ ବଜାର, ବାଦାମବାଡି, ବାଙ୍କାବଜାର, ମଙ୍ଗଳବାଗ ସମେତ ୧୨ଟି ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ତେବେ ଏହି ଔଷଧ ପାଟଣା, ବିହାର, ବେଙ୍ଗାଲୁରୁରୁ କଟକ ଓ ଭୁବନେଶ୍ୱର ବଜାରକୁ ଆସିଥିବା ଜଣାପଡିଛି । କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ, ରାଜ୍ୟର ପ୍ରାୟ ୭ଟି ଅଂଚଳକୁ ଏହି ଔଷଧ ଯାଇଥିବା ଜଣାପଡ଼ିଛି । ପାଖାପାଖି ହଜାରେ ଦୋକାନକୁ ଏହି ମେଡିସିନ୍ ଯାଇଥିବା ଆଶଙ୍କା କରାଯାଉଛି । ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏଯାଏ ଏଭଳି ୩୦ ଲକ୍ଷ ଟଙ୍କାର ଔଷଧ ଜବତ କରି ସାରିଲାଣି । ତେବେ ଏହା ନକଲି ହୋଇଥିଲେ ତାହା ସମସ୍ୟାରେ ପକାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି ।

କରୋନା ସମୟରେ କଟକରୁ ପେଟି ପେଟି ନକଲି ଔଷଧ ଜବତ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏହି ଘଟଣାରେ ବ୍ୟବସାୟୀଙ୍କ ସମେତ ତାଙ୍କ ପତ୍ନୀ ଓ କର୍ମଚାରୀଙ୍କୁ ଗିରଫ ବି କରାଯାଇଥିଲା । ଏହି ମାମଲା ଏବେ ବି ବିଚାରାଧିନ ରହିଛି । ଆଉ ଏହା ଭିତରେ ପୁଣି ରକ୍ତଚାପ ଔଷଧ ନକଲ କରାଯାଇ ବଜାରକୁ ଛଡାଯିବା ଉଦବେଗର ବିଷୟ ହୋଇଛି ।