ମଠ ଭାଙ୍ଗିବ, ବସ୍ତି ଗଢିବ । ବାବା କହିଲେ, ଏ କେମିତି ହେବ?

482

କନକ ବ୍ୟୁରୋ : ବାବାଙ୍କୁ ଘାରିଲା ମଠ ଚିନ୍ତା । କାରଣ, ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଂଚଳରେ ଥିବା ମଠ ଓ ଆଶ୍ରମ ଉଚ୍ଛେଦ ପାଇଁ ନୋଟିସ କରିଛି ବିଡିଏ । ପୂର୍ବରୁ ମଧ୍ୟ ଏହି ଅଂଚଳରେ ଥିବା ୫ଟି ମଠକୁ ଉଚ୍ଛେଦ କରାଯାଇ ସେଠାରେ ବସ୍ତି ତିଆରି ହୋଇଥିଲା । ଏଭଳି ସ୍ଥିତିରେ ସାଧୁ ପ୍ରଶ୍ନ କରିଛନ୍ତି, ଯଦି ବସ୍ତିି ରହିପାରିବ ତେବେ ମଠ କାହିଁକି ନୁହେଁ । ଏନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟିବାକୁ ନିଷ୍ପତି ନେଇଛି ସାଧୁସନ୍ଥ ମହାସଂଘ ।

ଖଣ୍ଡଗିରି ବାରିରେ ଥିବା ମଠ ଉଚ୍ଛେଦ ପାଇଁ ବିଡିଏର ଘୋଷଣା ଏବେ ବାବାଙ୍କ ଚିନ୍ତା ବଢାଇଦେଇଛି । ଶହ ଶହ ସାଧୁ ସନ୍ଥ ପ୍ରଶ୍ନ କରିଛନ୍ତି ମଠ ଉଚ୍ଛେଦ ହେଲେ ଯିବେ କୁଆଡେ । ତେବେ ମଠ ଉଚ୍ଛେଦ ଉପରେ ହାଇକୋର୍ଟରୁ ରହିତାଦେଶ ଆଣିସାରିଛନ୍ତି ମଠ କର୍ତୃପକ୍ଷ । ଉଚ୍ଛେଦ ବନ୍ଦ ରହିଛି ହେଲେ ଚିନ୍ତା ବଢିଯାଇଛି ।

ରାଜଧାନୀର ଖଣ୍ଡଗିରି ବାରିରେ ରହିଛି ବାବାଜି ଚିତବିନୋଦ ଦାସଙ୍କ ମଠ । ୧୯୬୨ରେ ଏହି ମଠକୁ ତତକାଳୀନ ବାବା ମଧୁସୂଦନ ଦାସ ସ୍ଥାପନ କରିଥିଲେ । ଏବେ ଏହି ମଠ ଉଚ୍ଛେଦ କରିବାକୁ ନୋଟିସ କରିଛି ବିଡିଏ । ଖଣ୍ଡିଗିରି ବାରି ଅଂଚଳରେ ୩୭ଟି ମଠ ଓ ଆଶ୍ରମ ରହିଛି । ୨୦୧୨ରେ ୫ଟି ଆଶ୍ରମ ଓ ମଠ ଭାଙ୍ଗି ଦିଆଯାଇଥିଲା । ଉଚ୍ଛେଦ ହୋଇଥିବା ମଠ ସ୍ଥାନରେ ଏବେ ବସ୍ତି ଗଢି ଉଠିଛି । ଏବେ ପୁଣି ମଠ ଭାଙ୍ଗିବାକୁ ବିଡିଏ ନୋଟିସ କରିଛି । ଏଭଳି ସ୍ଥିତିରେ ବାବା ପ୍ରଶ୍ନ କରିଛନ୍ତି ଯଦି, ବସ୍ତି ରହିପାରିବ ତେବେ ମଠ କାହିଁକି ରହିବନି ।

ସରକାରଙ୍କ ମଠ ଭଙ୍ଗା ନିଷ୍ପତି ବିରୋଧରେ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଏଥିସହ ନିଷ୍ପତି ପ୍ରତ୍ୟାହାର ପାଇଁ ମହାସଂଘ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ସାକ୍ଷାତ କରିବ ବୋଲି କହିଛି ।