ଅଷ୍ଟ୍ରେଲିଆରେ ଭାରତର ବଡ ବିଜୟ ପରେ ଚୟନକର୍ତ୍ତାଙ୍କ ଉପରେ ଧନବର୍ଷା କଲା ବିସିସିଆଇ ! ପ୍ରତି ସଦସ୍ୟଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା ।

256

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବା ପରେ ଆସନ୍ତାକାଲି ଠାରୁ ନ୍ୟୁଜିଲାଣ୍ଡ ସହ ଲଢିବ ଟିମ୍ ଇଣ୍ଡିଆ । ତେବେ ସବୁଠାରୁ ବଡ କଥା ହେଉଛି ଅଷ୍ଟ୍ରେଲିଆରେ ଉଭୟ ଟେଷ୍ଟ ଓ ଦିନିକିଆରେ ରେକର୍ଡ କରିବା ପରେ ଭାରତୀୟ ଦଳର ବରିଷ୍ଠ ଚୟନକର୍ତ୍ତାଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛି ବିସିସିଆଇ । ବରିଷ୍ଠ ଚୟନକର୍ତ୍ତା ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ବିରାଟ ବାହିନୀ ୨-୧ରେ ମାତ୍ ଦେଇଥିବା ବେଳେ ଦିନିକିଆ ସିରିଜରେ ମଧ୍ୟ କଙ୍ଗାରୁ ଦଳକୁ ୨-୧ରେ ହରାଇଛି ଭାରତ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ ଦଳର ବରିଷ୍ଠ ଚୟନ ସମିତିର ୫ ଜଣ ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ବୋନସ ପ୍ରଦାନ କରିବା ନେଇ ବିସିସିଆଇ ଘୋଷଣା କରିଛି । ଆଉ ଏହି ଚୟନ ସମିତିରେ ଚେୟାରମ୍ୟାନ ଏମଏସକେ ପ୍ରସାଦ, ଦେବାଙ୍ଗ ଗାନ୍ଧି, ଜତିନ୍ ପରାଙ୍ଗଜପେ, ଗଗନ ଖୋଡା ଏବଂ ସମରଦୀପ ସିଂହ ସାମିଲ ଅଛନ୍ତି । ତେବେ ଅଷ୍ଟ୍ରେଲିଆରେ ଭାରତର ବଡ ବିଜୟ ବିସିସିଆଇ ସମେତ ଚୟନକର୍ତ୍ତାଙ୍କୁ ମଧ୍ୟ ଖୁସି କରିଛି । ଏହି ବିଜୟ ପାଇଁ ପୂର୍ବରୁ ଖେଳାଳୀ ଏବଂ ସହଯୋଗୀ ଷ୍ଟାଫ୍ ମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଏବଂ ବରିଷ୍ଠ ଚୟନକର୍ତ୍ତାଙ୍କ ପାଇଁ ମଧ୍ୟ ପୁରସ୍କାର ଘୋଷଣା କରିଛି ବିସିସିଆଇ ।