ବିସିସିଆଇ ସଂପାଦକ ଜୟ ଶାହାଙ୍କ ସୂଚନା । ୟୁଏଇରେ ହେବ ଟି -୨୦ ବିଶ୍ୱକପ୍

195

କନକ ବ୍ୟୁରୋ : ଚଳିତବର୍ଷ ଟି-୨୦ ବିଶ୍ୱକପର ଆୟୋଜନ ୟୁଏଇରେ ହେବ । ଏନେଇ ଆଜି ବିଭାଗୀୟ ଅଧିକାରୀ ଘୋଷଣା କରିଛନ୍ତି । କରୋନା ସମୟରେ ଭାରତରେ ଏହି ମ୍ୟାଚ୍ ଆୟୋଜନ ନେଇ ସନ୍ଦେହ ଥିବା ବେଳେ ଆଜି ବିସିସିଆଇ ତରଫରୁ ଆଇସିସିକୁ ସୂଚନା ଦିଆଯାଇଛି । ଟି-୨୦ ବଶ୍ୱକପ୍ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ   । ଟ-୨୦ ବିଶ୍ୱକପ ପୂର୍ବରୁ ଆଇପିଏଲର ବାକିଥିବା ୩୧ ଟି ମ୍ୟାଚ୍ ବି ୟୁଏଇରେ ଖେଳାଯିବ । ଏନେଇ ବୋର୍ଡର ସଂପାଦକ ଜୟ ଶାହା ସୂଚନା ଦେଇଛନ୍ତି ।

ଜୟ ଶାହା କହିଛନ୍ତି କି ଆଜି ଅଧିକାରୀ ସ୍ତରରେ ମ୍ୟାଚର ସ୍ଥାନ ପରିବର୍ତ୍ତନ ନେଇ ଆଇସିସିକୁ ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟ କେବେ ଖେଳାଯିବ ତାହା ଆଇସିସି ନିଷ୍ପତ୍ତି କରିବ ।

ଆଶା କରାଯାଉଛି କି ଅକ୍ଟୋବର ୧୬ ତାରିଖ ଠାରୁ ମ୍ୟାଚ୍ ଆରମ୍ଭ ହୋଇପାରେ । ୧୬ ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପର ଶେଷ ମ୍ୟାଚ୍ ୧୪ ନଭେମ୍ବରରେ ହେବ । ଟି-୨୦ ବିଶ୍ୱକପର ମ୍ୟାଚ୍ ଗୁଡିକ ୟୁଏଇ ବ୍ୟତୀତ ଓମାନରେ ହେବା ନେଇ ଆଶା କରାଯାଉଛି । ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳା ଯାଉଥିବାରୁ ଅଧିକ ଚାପ ନଦେବାକୁ କିଛି ମ୍ୟାଚ୍ ଓମାନରେ ଖେଳାଯିବା ନେଇ ଆଶଂକା କରାଯାଉଛି । ଏହା ପୂର୍ବରୁ ୨୦୧୬ ଟି-୨୦ ବିଶ୍ୱକପ୍ ଭାରତରେ ଖେଳାଯାଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ଟିମ୍ ଚମ୍ପିଅନ ହୋଇଥିଲା ।

ଚଳିତ ଟି-୨୦ ବିଶ୍ୱକପରେ ୧୬ ଟି ଟିମ୍ ଭାଗନେବେ । ସେମାନଙ୍କ ମଧ୍ୟରେ ୪୫ ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ରାଉଣ୍ଡରେ ୮ ଟି ଟିମ୍ ଖେଳିବେ । ଦୁଇଟି ଗ୍ରୁପରେ ୪ ଟି ଲେଖାଏଁ ଟିମ୍ ରହିବ ।

ସୂଚନା ମୁତାବକ ଆଇପିଏଲରେ ବାକିଥିବା ମ୍ୟାଚ୍ ଗୁଡିକ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୧୫ ମଧ୍ୟରେ ଖେଳାଯିବ । ଆଇପିଏଲର ବାକିଥିବା ମ୍ୟାଚ ୟୁଏଇରେ ହେବାନେଇ ପୂର୍ବରୁ ବିସିସିଆଇ ଘୋଷଣା କରିସାରିଛି ।