କମ୍ପ୍ୟୁଟର ପାଠରୁ ଗାଁ ରାଜନୀତି : ବିସିଏ ଡିଗ୍ରୀଧାରୀ ଏବେ ସରପଞ୍ଚ ପ୍ରାର୍ଥୀ

201

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତରେ ନିର୍ବାଚନ ପାଇଁ ଗାଁ ଗାଁରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ଏଥର ପଞ୍ଚାୟତ ନିର୍ବାଚନ ମଇଦାନକୁ ଉହ୍ଲାଇଛନ୍ତି ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ । କିଏ ବିଟେକ କରି ମଧ୍ୟ ଚାକିରି ନକରି ନିର୍ବାଚନ ମୁହାଁ ହୋଇଛନ୍ତି ତ ଆଉ କିଏ ବିସିଏ କରି । ସେମିତି ଜଣେ ବିସିଏ ଡିଗ୍ରିଧାରୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଓଡିଆ ଆଲପୁର ପଂଚାୟତ ଗତ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନରେ ପଥରା ପଞ୍ଚାୟତ ଠାରୁ ଅଲଗା ହୋଇ ଓଡିଆ ଆଲପୁର ଭାବେ ନୂତନ ପଞ୍ଚାୟତ ଗଠନ ହୋଇଥିଲା । ତେବେ ନୂତନ ପଞ୍ଚାୟତ ଗଠନ ପରେ ଏହି ବର୍ଷ ପଞ୍ଚାୟତ ନିର୍ବାଚନରେ ୨ ଥର ନିର୍ବାଚନ ଦେଖିବାକୁ ଯାଉଛି । ତେବେ ଏହି ପଞ୍ଚାୟତ ୪ଖଣ୍ଡ ଗ୍ରାମକୁ ନେଇ ଗଠନ ହୋଇଛି । କିଭଳି ଜଣେ ଉଚ୍ଚ ଶିକ୍ଷିତ ପଞ୍ଚାୟତ ଦାୟିତ୍ୱ ନେବେ ଓ କିଭଳି ପଞ୍ଚାୟତର ଉନ୍ନତି କରିବେ ତାକୁ ଆଗରେ ରଖି ଚାରିଖଣ୍ଡ ଗ୍ରାମର ମତାମତ କ୍ରମେ ନିର୍ବାଚନ ମଇଦାନକୁ ଉହ୍ଲାଇଛନ୍ତି ଜଣେ ଉଚ୍ଚ ଶିକ୍ଷିତ ବିସିଏ ଡିଗ୍ରୀ ଧାରୀ ଏସ ରଶ୍ମିତା ରେଡ୍ଡୀ ।

ରଶ୍ମିତା ଯୁକ୍ତ ଦୁଇ ପରେ ବିସିଏ ବା ବ୍ୟାଚଲର ଅଫ କମ୍ପ୍ୟୁଟର ଆପ୍ଲିକେସନ କରିଛନ୍ତି । ରଶ୍ମିତା ଜଣେ ଚାଷୀ ପରିବାର ହୋଇଥିବା ବେଳେ ସେ ସେହି ପଞ୍ଚାୟତର ଗୁରାପଲ୍ଲୀ ଗ୍ରାମର ଝିଅ ସେହି ଗ୍ରାମରେ ହିଁ ବିବାହ କରିଛନ୍ତି । ତେଣୁ ଲୋକଙ୍କ ଆଶା ରହିଛି ଆଗାମୀ ଦିନରେ ଉଚ୍ଚ ଶିକ୍ଷିତା ରଶ୍ମିତା ସରପଞ୍ଚ ହେଲେ ନିଶ୍ଚିତ ଭାବେ ପଞ୍ଚାୟତର ସବୁ ପ୍ରକାର ସମସ୍ୟାକୁ ଦୂର କରିବା ସହ ଲୋକଙ୍କ ସୁଖ ଦୁଃଖରେ ସାଥୀ ହୋଇ ପାରିବେ । ତେବେ ରଶ୍ମିତା ମଧ୍ୟ ଆଗାମୀ ଦିନରେ ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ଓଡିଆ ଆଲପୁର ପଞ୍ଚାୟତ ନୂତନ ଭାବେ ଗଠନ ହେବା ପରେ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଘର ନିର୍ମାଣ ନହୋଇ ଅଧପନ୍ତରିଆ ଭାବେ ପଡିରହିଛି । ତେବେ ଏହି ପଞ୍ଚାୟତ ଏକ କୃଷି ବହୁଳ ପଞ୍ଚାୟତ ହୋଇଥିବାରୁ ଚାଷ ପାଇଁ ଜଳସେଚନର ସୁବିଧା ନଥିବା ଗ୍ରାମବସୀ କହିଛନ୍ତି । ଏହା ସହ ପଞ୍ଚାୟତ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଅନ୍ୟ ପଞ୍ଚାୟତଠାରୁ ବହୁ ପଛରେ ରହିଥିବାରୁ ଜଣେ ଉଚ୍ଚଶିକ୍ଷିତା ସରପଞ୍ଚ ହେଲେ ପଞ୍ଚାୟତର ସମସ୍ତ ସମସ୍ୟା ଦୂର ହୋଇପାରିବ ବୋଲି ପଞ୍ଚାୟତବାସୀ କହିଛନ୍ତି ।

ଉଚ୍ଚ ଶିକ୍ଷିତ ଯୁବକ ଯୁବତି ରାଜନୀତିରେ ପାଦ ଦେଉଥିବାରୁ ପଞ୍ଚାୟତମାନଙ୍କରେ ରାଜନୈତିକ ମାନଚିତ୍ର ବଦଳିବା ନେଇ ସ୍ପଷ୍ଟ ବାରି ହୋଇ ପଡୁଛି । ଏହାରି ଭିତରେ ରାଜନୀତିରେ ଆସିଥିବା ଶିକ୍ଷିତ ଯୁବକ ଯୁବତୀମାନେ କେମିତି ଲୋକଙ୍କ ଆସ୍ଥାଭାଜନ ହୋଇପାରୁଛନ୍ତି ଓ କେମିତି ବିପକ୍ଷ ପାର୍ଥୀକୁ ମାତ ଦେଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।