ଲକଡ଼ାଉନରେ ଦୋକାନ ଖୋଲିବାରୁ ପୋଲିସର ଜୁଲମ୍ : ଓମଫେଡ଼ ବୁଥ ଖୋଲିଥିବା ନବମ ଶ୍ରେଣୀର ଛାତ୍ରଙ୍କୁ କଷି ଚାଲିଲା ଗୋଇଠା ପାହାର; ପାଲିସ ଅମାନୁଷିକତାର ଚିତ୍ର ସିସିଟିଭିରେ କଏଦ

208

କନକ ବ୍ୟୁରୋ : ଦୋକାନ ଖୋଲିବାରୁ ନାବାଳକଙ୍କ ଉପରେ ପୋଲିସର ଜୁଲମ୍ । ଏପରିକି ବାରମ୍ବାର ଗୋଇଠା ମାରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମଙ୍ଗଳବାର ଏପରି ଘଟଣା ଘଟିଛି ଭୁବନେଶ୍ୱର କେସୁରା ଅଂଚଳରେ । ସୂଚନାନୁସାରେ, କେସୁରା ଅଂଚଳରେ ଜଣେ ନାବାଳକ ୨୯ ତାରିଖ ଦିନ ଓମଫେଡ ବୁଥରେ ଚା’ ବିକୁଥିଲେ । ଏହି ସମୟରେ ସେଠାରେ ବଡ଼ଗଡ଼ ଥାନାର ୨୯ ନମ୍ବର ପିସିଆର ପହଂଚିଥିଲା ।

ଆଉ ତାକୁ କାହିଁକି ଦୋକାନ ଖୋଲିଛ ବୋଲି ଧମକାଇଥିଲେ । ବିଚରା ନାବାଳକ କାକୁତି ମିନତି ହେଲେ ବି ପୋଲିସ୍ ବାବୁ ଶୁଣିନଥିଲେ । ଆଉ ନାବାଳକକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ । କରୋନା ସ୍ଥିତି ପାଇଁ ଜୀବନ ଓ ଜୀବିକା ବିପନ୍ନ । ବଂଚିବାର ରାହା ଖୋଜୁଛି ସାଧାରଣ ଜନତା । ଆଉ କିପରି ଦି ପଇସା ରୋଜଗାର କରିହେବ, ସେ ନେଇ ଅଧିକାଂଶ ଚିନ୍ତାରେ । ଏପରି ସମୟରେ ପୋଲିସ୍ ବାବୁଙ୍କର ଏପରି ଗୋଇଠା ମରା ଅମାନୁଷିକତାର ଏକ ବଡ଼ ପ୍ରମାଣ ।

କରୋନା ସ୍ଥିତି ବେଳେ କଟକଣା ନିହାତି ଦରକାର । ହେଲେ ଟିକିଏ ମାନବିକତା ଦେଖାଇବା ବି ଜରୁରୀ । କିନ୍ତୁ ଏହି ଘଟଣା ଏହାର ବୟାନ କରୁନି । ବରଂ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ସାଧାରଣ ଜନତା ପ୍ରତି ଖାକି ବାବଙ୍କୁ ଦାଦାଗିରି ଚିନ୍ତା କରିବାକୁ ବାଧ୍ୟ କରୁଛି ।