କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀ ମାମଲା ଥମିବାରେ ନାଁ ନେଉନି । ଏବେ ଏହି ମାମଲାରେ ବ୍ରିଟେନ ବିଦେଶମନ୍ତ୍ରୀ ଜେମ୍ସ କ୍ଲେବରଲୀଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି କି, ମୁଁ ବିବିସି ଡକ୍ୟୁମେଣ୍ଟାରୀ ଦେଖିନାହିଁ ହେଲେ ଏହାକୁ ନେଇ ଭାରତ ଓ ବ୍ରିଟେନ ଦେଇଥିବା ପ୍ରତିକ୍ରିୟା ଦେଖିଛନ୍ତି ।

Advertisment

ସୂତ୍ର ସୂଚନା ମୁତାବକ ଜେମ୍ସ କ୍ଲେବରଲୀ ଭାରତର ବିଦେଶମନ୍ତ୍ରୀ ଏସ୍ ଜୟଶଂକରଙ୍କ ସାମ୍ନାରେ ବିବିସି କାର୍ଯ୍ୟାଳୟ ଉପରେ ହୋଇଥିବା ଆୟକର ଚଢାଉ ପ୍ରସଙ୍ଗ ଉଠାଇଛନ୍ତି । ଏହାକୁ ନେଇ ଜୟଶଂକର କହିଛନ୍ତି କି, ଭାରତରେ କାମ କରୁଥିବା ସମସ୍ତ ସଂସ୍ଥାଙ୍କୁ ପ୍ରାସଙ୍ଗିକ ଆଇନକୁ ପାଳନ କରିବାକୁ ପଡିବ ।

ଜେମ୍ସ କ୍ଲେବରଲୀ କହିଛନ୍ତି ଯେ, ବିବିସି ଏକ ସ୍ୱତନ୍ତ୍ର ସଂଗଠନ ଅଟେ ଓ ଏହା ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । “ମୁଁ ବିବିସି ଡକ୍ୟୁମେଣ୍ଟାରୀ ଦେଖିନାହିଁ ହେଲେ ବ୍ରିଟେନ ଓ ଭାରତ ତରଫରୁ ଏହା ଉପରେ ପ୍ରକାଶ ପାଇଥିବା ପ୍ରତିକ୍ରିୟା ଶୁଣିଛି । ଏବେ ମୁଁ ଜୟଶଂକରଙ୍କ ସହ ବ୍ୟକ୍ତିଗତ ସଂପର୍କର ଆନନ୍ଦ ନେଉଛି । ବ୍ରିଟେନ ଓ ଭାରତ ମଧ୍ୟରେ ସଂପର୍କ ଦିନକୁ ଦିନ ମଜବୁତ ହେଉଛି” । ସୂଚନା ଥାଉକି ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ତରଫରୁ ପ୍ରସ୍ତୁତ କରାଯାଇଥିବା ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ ଦ ମୋଦୀ କ୍ୱଶ୍ଚେନ’ ଭାରତରେ ରିଲିଜ ହେବାର କିଛି ସପ୍ତାହ ପରେ ଆୟକର ବିଭାଗ ତରଫରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା ।