ଅଚଳ ବସୁଧା ଯୋଜନା: ମଟର ଅଚଳ ହୋଇଯିବା ପରେ ଆଉ ଆସୁନି ପାଇପ୍ ଯୋଗେ ପାଣି 

106

କନକ ବ୍ୟୁରୋ: ଅଟକି ଯାଇଛି ବସୁଧା ଯୋଜନାରେ ଜଳ ଯୋଗାଣ । ପାଣି ପାଇଁ ହଁନ୍ତସନ୍ତ ହେଉଛନ୍ତି ଲୋକେ । ସକାଳୁ ସଂଜ ଯାଏ ନଳକୂପ ପାଖରେ ଲାଗୁଛି ମହିଳାଙ୍କ ଭିଡ । ପାଣି ଟିକିଏ ପାଇବା ପାଇଁ ଘଂଟାଘଂଟା ଲାଇନରେ ଠିଆ ହେବାକୁ ପଡୁଛି । ଦୁଇଟି ଗାଁରେ ଦୁଇଟି ନଳକୁପ । ସେଥିରେ ଚଳୁଛନ୍ତି ତିନି ଶହରୁ ଉର୍ଦ୍ଦ ପରିବାର । ଦେଖନ୍ତୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଡିମିରିମୁଣ୍ଡା ପଂଚାୟତରୁ ଏହି ରିପୋର୍ଟ ।

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ସମ୍ବଲପୁର ଜମନକିରା ବ୍ଲକର ତବଲାକଟା ଓ ଖଡ଼ିଆପାଲି ଗାଁ ଲୋକେ । ସକାଳ ହେଲେ ଗରା, ବାଲଟି ଧରି ମହିଳାମାନେ ବାହାରିପଡ଼ନ୍ତି ପାଣି ପାଇଁ । ନଳକୂଅ ପାଖରେ ଅପେଖା କରନ୍ତି ଘଂଟା ଘଂଟା । ପିଲା ଛୁଆଙ୍କ ପାଇଁ ବାଲଟି ପାଣି ନେବା ପାଇଁ ନଳକୂଅ ପାଖରେ ସକାଳୁ ସଂଜ ଯାଏଁ ଲମ୍ବା ଲାଇନ ଲାଗୁଛି । ପାଣି ପାଇଁ ଏ ଧାଡି ପଛର ସତ ହେଉଛି, ଅଚଳ ବସୁଧା ଯୋଜନା ।

ସରକାରଙ୍କ ତରଫରୁ ବସୁଧା ଯୋଜନାରେ ଗାଁକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲା । କିନ୍ତୁ ଗତ କିଛି ଦିନ ହେବ ମଟର ଅଚଳ ହୋଇଯିବାରୁ ଆଉ ପାଇପ୍ ପାଣି ଆସୁ ନାହିଁ । ଏ ସମ୍ପର୍କରେ ସ୍ଥାନୀୟ ସରପଂଚ ଓ ଗାଁ କମିଟି ସହ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ମଟର ଚଲାଉଥିବା କର୍ମଚାରୀ ।

ହେଲେ କେହି ଏକଥା ଶୁଣୁନାହାନ୍ତି କି ମଟର ମରାମତି ହେଉନାହିଁ । ତେଣୁ ଗ୍ରାମବାସୀଙ୍କୁ ଜଳ ଯନ୍ତ୍ରଣା ଭୋଗିବାକୁ ପଡୁଛି । ଖୁବଶିଘ୍ର ପାଇପ ଯୋଗେ ଜଳ ଯୋଗାଣ କରା ନଗଲେ ଗ୍ରାମବାସୀ ପାଣି ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ।