ବାରିପଦା ଦେଖିବ ବଡ ଲଢେଇ: ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ହେବ କଡା ଟକ୍କର, ପ୍ରକାଶ-ଦଶରଥଙ୍କୁ ମାତ୍ ଦେବେ ନବୀନଙ୍କ ମହିଳା ସିପାହୀ ସରୋଜିନୀ

260

କନକ ବ୍ୟୁରୋ: ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶେଷରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ବାରିପଦା ଲଢେଇ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେଡି । ଆଜି ବିଜେଡିର ବଳକା ଥିବା ୨ଟି ଆସନ ମଧ୍ୟରୁ ଗୋଟିଏ ତଥା ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରିପଦା ଆସନରୁ ସରୋଜିନୀଙ୍କ ନାଁ ସାମନାକୁ ଆସିବା ପରେ ବାରିପଦା ରାଜନୀତି ସରଗରମ ହୋଇଉଠିଛି । କାରଣ ଏହି ଆସନ ପାଇଁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ତଥା ବିଜେପି ଏବଂ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଦ୍ୱନ୍ଦ୍ୱରେ ରହିଥିଲା ବିଜେଡି । ତେବେ ଆଜି ବାରିପଦା ଲଢେଇ ପାଇଁ ବିଜେଡି ସୁପ୍ରିମୋଙ୍କ ମହିଳା ସିପାହୀ ସାଜିଛନ୍ତି ସରୋଜିନୀ ହେମ୍ବ୍ରମ ।

ତେବେ ୨୦୦୯ ମସିହାରେ ବାଙ୍ଗିରପୋଷି ଆସନରୁ ଜିତିଥିଲେ ସରୋଜିନୀ । ଏହାପରେ ୨୦୧୪ରେ ଦଳ ସରୋଜିନୀଙ୍କୁ ପଠାଇଥିଲା ରାଜ୍ୟସଭା । ଏବେ ତାଙ୍କର କାର୍ଯ୍ୟକାଳ ସରିବା ଆଗରୁ ଦଳ ତାଙ୍କୁ ବାରିପଦା ଆସନରୁ ଟିକଟ ଦେଇଛି । ଏହା ସହିତ ଗତଥର ଏହି ଆସନରୁ ଜିତି ବିଧାନସଭା ଯାଇଥିବା ସାନନ୍ଦ ମାରାଣ୍ଡିଙ୍କ ଟିକଟ କଟିଛି । ବାରିପଦା ଆସନର ଟିକଟ ଘୋଷଣା ସହିତ ବିଜେଡି ୧୪୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ କେବଳ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।

 

୨୦୧୯ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ବାରିପଦା ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ ମତଦାନ । ଏଥି ନିମନ୍ତେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇବା ସହ ଅଙ୍କକଷା ଆରମ୍ଭ ହୋଇଯାଇଛି । କଂଗ୍ରେସ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଜେଏମଏମ ସହ ମେଂଟ ହୋଇ ପ୍ରାର୍ଥୀ ଛିଡ଼ା କରାଯାଇଥିବା ବେଳେ ବାରିପଦା ଆସନ କଂଗ୍ରେସ ଭାଗରେ ପଡ଼ିଛି ଏବଂ ଦଶରଥ ସିଂଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି କଂଗ୍ରେସ । ବାରିପଦା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଦଶରଥ ସିଂ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଆଦିବାସୀ କଳାକାର ଭାବେ ପରିଚିତ । ପୂର୍ବରୁ ଯାତ୍ରା ଦଳରେ ଅଭିନୟ କରୁଥିଲେ ଏବଂ ପରବର୍ତି ସମୟରେ ନିର୍ଦ୍ଦେଶକ ଓ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପେଷାରେ କଳାକାର ହୋଇଥିଲେ ମଧ୍ୟ ଜନସେବା ପ୍ରତି ସେ ବିଶେଷ ଭାବେ ଆଗ୍ରହୀ ଥିଲେ । ତେଣୁ ରାଜନୀତି ମାଧ୍ୟମରେ ଜନସାଧାରଣଙ୍କ ସେବା କରିବା ସହଜ ଭାବି ୨୦୦୨ରେ ପଂଚାୟତ ସମିତି ସଦସ୍ୟ ଓ ୨୦୦୪ରେ ଖୁଂଟା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏହାପରେ ୨୦୧୮-୧୯ରେ କଂଗ୍ରେସ ଦଳରେ ସଦସ୍ୟ ହୋଇ ତୃଣମୂଳ ସ୍ତରରେ କାର୍ଯ୍ୟ କରି ନିର୍ବାଚନ ମଣ୍ଡଳୀରେ ଜନତାଙ୍କ ଆସ୍ଥାଭାଜନ ହେବାରେ ସଫଳ ହେବା ପରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ସିଂଙ୍କୁ ବାରିପଦା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ସୁଯୋଗ ଦେଇଛନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟି ପ୍ରକାଶ ସୋରେନଙ୍କୁ ବାରିପଦା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଶ୍ରୀ ସୋରେନ ପ୍ରଥମେ ଏଜେଏସୟୁ ସଂଗଠନରେ କାର୍ଯ୍ୟ କରୁଥିଲେ । ପରବର୍ତି ସମୟରେ ଜେଏମଏମ ଦଳରେ ଯୋଗ ଦେଇଥିଲେ ଏବଂ ୧୯୯୫, ୨୦୦୦ ଓ ୨୦୦୪ରେ ଖୁଂଟା ନିର୍ବାଚନ ମଣ୍ଡଳୀରୁ ୩ଥର ଜେଏମଏମ ଟିକଟରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିଲେ । ୨୦୧୨-୧୩ରେ ବିଜେଡ଼ିରେ ସାମିଲ ହୋଇ ୧୨ନଂ ଜୋନରୁ ଜିଲ୍ଲାପରିଷଦକୁ ନିର୍ବାଚିତ ହୋଇଥିଲେ । ୨୦୧୩-୧୪ରେ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି କାଳି ଚରଣ କିସ୍କୁଙ୍କ ଦେହାନ୍ତ ପରେ ବାରିପଦା ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ଉଦ୍ୟମରେ ଶ୍ରୀ ସୋରେନ ଜିଲ୍ଲାପରିଷଦର ସଭାପତି ହୋଇଥିଲେ । ୨୦୧୭ରେ ଜିଲ୍ଲାପରିଷଦ କାର୍ଯ୍ୟକାଳ ପୂରଣ ହେବା ପରେ ତାଙ୍କ ଗାଡ଼ିରୁ ନାଲିବତୀ ହଟିଯିବା ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନୀତି ଆଦର୍ଶ ସହ ଶ୍ରୀ ସୋରେନଙ୍କ ନୀତି ଆଦର୍ଶ ମେଳ ଖାଇନଥିଲା । ଫଳରେ ବିଜେଡ଼ିକୁ ବାଏ ବାଏ କରି ବିଜେପିରେ ସାମିଲ ହୋଇ ୨୦୧୯ ବିଧାନସଭା ନିର୍ବାଚନରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ଭାଜପା ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି ।

ଚଳିତ ଥର ବାରିପଦାବାସୀ ଦେଖିବାକୁ ପାଇବେ ହାଇଭୋଲଟେଜ ଲଢେଇ । କାରଣ ବାରିପଦା ରଣାଙ୍ଗନରେ ଏଥରକ ଓହ୍ଲାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ୩ ହେଭିୱେଟ୍ ପ୍ରାର୍ଥୀ । ତେବେ କାହାକୁ ବାଛିବେ ବାରିପଦାବାସୀ ତାହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।