ବରଗଡ଼ ଧନୁଯାତ୍ରା: ଆସନ୍ତାକାଲି ସ୍ଥାପନ ହେବ ଶୁଭସ୍ତମ୍ଭ

71

କନକ ବ୍ୟୁରୋ : ମାସକ ପରେ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ । ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରବିବାର ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହେବ । ଆଗାମୀ ଡିସେମ୍ବର ୩୧ରୁ ଧନୁଯାତ୍ରା ଆରମ୍ଭ ହେବ । ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ହେବାକୁ ଯାଉଥିବା ୭୧ତମ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନଙ୍କ ନେତୃତ୍ୱରେ ପ୍ରସ୍ତୁତି ଚାଲିଛି । ପୂର୍ବରୁ ଧନୁଯାତ୍ରା ପାଇଁ କଂସ ଚୟନକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି । ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଚଳିତ ବର୍ଷ କଂସ ଏବଂ ଅନ୍ୟ କଳାକାରଙ୍କ ଚୟନ ହେବ ନାହିଁ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।

୧୧ ଦିବସୀୟ ଏହି ମହୋତ୍ସବ ଜାନୁଆରି ୧୦ ଯାଏ ଚାଲିବ । ଧନୁଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥାନ ଦିଆଯାଇଛି । ମହୋତ୍ସବରେ ସ୍ଥାନୀୟ କଳାକାର ଓ ବାହାର ରାଜ୍ୟର କଳାକାର ଭାଗ ନେବେ । ସେହିପରି ମୀନାବଜାର ଓ ଅନ୍ୟ ବ୍ୟବସାୟ ମେଳାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।