ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ବରଗଡର ଚାଷୀ : ସଂରକ୍ଷଣ ବ୍ୟବସ୍ଥା ନଥିବାରୁ କମ୍ ଦରରେ ବିଲ ପାଖରୁ ବେପାରୀଙ୍କୁ କୋବି ବିକ୍ରି କରୁଛନ୍ତି ଚାଷୀ

ରାଜ୍ୟର ବିଭିନ୍ନ ସହର ସମେତ ଛତିଶଗଡରେ ବଜାରରେ ବିକ୍ରି ହେଉଛି ବରଗଡ ଜମୁଡାର କୋବି

99

କନକ ବ୍ୟୁରୋ : ଚାଷୀ ଓ ଚାଷ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ବରଗଡ ଜିଲ୍ଲା । ବରଗଡକୁ ଓଡିଶାର ଭାତହାଣ୍ଡି ବୋଲି କୁହାଯାଏ । ସେ ଧାନ ଚାଷ ହେଉ ବା ପନିପରିବା ଚାଷ । ସବୁ ପ୍ରକାରର ଚାଷ କରିଥାନ୍ତି ଜିଲ୍ଲା ସଦର ବ୍ଲକର ଜମୁଡାର ଚାଷୀ ।

ବରଗଡ ସଦର ମହୁକମା ଠାରୁ ୮ କିଲୋମିଟର ଦୂରରେ ରହିଛି ଜମୁଡା ଗାଁ । କୋବି ଚାଷ ପାଇଁ ବେଶ ପରିଚିତ ଏହି ଗାଁ । ଗାଁର ପ୍ରାୟ ୯୦ ଭାଗ ଚାଷୀ ଫୁଲ କୋବି ଚାଷ କରିଥାନ୍ତି । କୋବି ଚାଷରୁ ଦୁଇ ପଇସା ଲାଭ ମଧ୍ୟ ପାଇଥାନ୍ତି । ଚଳିତ ବର୍ଷ ମଧ୍ୟ କୋବି ଚାଷ କରି ଭଲ ଦୁଇ ପଇସା ରୋଜଗାର ଆଶା ରଖିଛନ୍ତି । ଏବେ ଅମଳ ସମୟ ହୋଇଥିବାରୁ ଚାଷୀର କୋବି କିଆରି ପାଖରେ ଲାଗିଛି ଟ୍ରକ । ଟ୍ରକ ଟ୍ରକ କୋବି ରାଜ୍ୟର ବିଭିନ୍ନ ସହରକୁ ପଠାଇବା ସହ ପଡୋଶୀ ରାଜ୍ୟକୁ ମଧ୍ୟ ଯାଉଛି ।

ଜମୁଡା ଗାଁର ୧୨ ଶହ ହେକ୍ଟର ଜମିରେ କୋବି ଚାଷ କରାଯାଇଛି । ଏଠାକାର ଫୁଲ କୋବି ବରଗଡ ସମେତ ପୁରୀ, ଖୋର୍ଦ୍ଧା, ସୋନପୁର, ବଲାଙ୍ଗୀର ଓ ସମ୍ବଲପୁରରେ ବିକ୍ରି କରାଯାଏ । ଏହାସହ ପଡୋଶୀ ରାଜ୍ୟ ଛତିଶଗଡକୁ ମଧ୍ୟ ଯାଇଥାଏ । ତେବେ ଚଳିତ ବର୍ଷ ଭଲ ଫସଲ ହୋଇଥିବା ବେଳେ ସଂରକ୍ଷଣ ପାଇଁ ବ୍ୟବସ୍ଥା  ନଥିବାରୁ ଚାଷୀ କମ୍ ଦରରେ ବେପାରୀଙ୍କୁ କୋବି ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।  ସେପଟେ ଶୀତଳଭଣ୍ଡାର ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି ବରଗଡର ଅତିରିକ୍ତ ଜିଲ୍ଲାପାଳ ।

ଚାଷ ପାଇଁ ସବୁ ବେଳ ଚର୍ଚ୍ଚାରେ ବରଗଡ ଜିଲ୍ଲା । କେତେବେଳେ ଚକଡା ଚଡକ ତ ଆଉ କେତେବେଳେ ଅଭାବୀ ବର୍ଷା ଯୋଗୁଁ ଧାନ ଚାଷ ନଷ୍ଟ ହୋଇଛି । ଆଉ ଏବେ ଫୁଲ କୋବି ଚାଷୀଙ୍କୁ ଘାରିଛି ଅଭାବୀ ବିକ୍ରିର ଚିନ୍ତା ।