ସୀମାନ୍ତ ଅଞ୍ଚଳରେ ଆଜି ବି ନାହିଁ ମୌଳିକ ସୁବିଧା । ଛତିଶଗଡରେ ମିଶିବାକୁ ଇଚ୍ଛା କରୁଛନ୍ତି ଓଡିଆ ଲୋକ ।

105

କନକ ବ୍ୟୁରୋ: ଓଡିଶାର ସୀମାନ୍ତବର୍ତ୍ତୀ  ଅଂଚଳକୁ କବଜା କରିବା ପାଇଁ ଉଦ୍ୟମ କରୁଛନ୍ତି ପଡୋଶୀ ରାଜ୍ୟ । ବିଭିନ୍ନ ଯୋଜନା ଜରିଆରେ ପ୍ରଲୋଭନ ଦେଖାଇ ଓଡିଶା ଲୋକଙ୍କୁ ମତାଉଛନ୍ତି ଆଉ ଓଡିଶା ସରକାରଙ୍କ ଯୋଜନାର ସୁଫଳ ପାଉନଥିବା ସୀମାନ୍ତବର୍ତ୍ତୀ  ଗ୍ରାମବାସୀ ନିଜ ରାଜ୍ୟ ଛାଡି ପଡୋଶୀ ରାଜ୍ୟରେ ମିଶିବା ପାଇଁ ମନ ବଳାଉଛନ୍ତି । ଏପରି କିଛି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ । ସେଠାକାର ଲୋକେ ଛତିଶଗଡ ସହ ମିଶିିବା ପାଇଁ ସେଠାକାର ଜନପ୍ରତିନିଧିଙ୍କୁ ଭେଟି ଆବେଦନ କରିଥିବା ଜଣାପଡିଛି ।

ଓଡିଶା-ଛତିଶଗଡ ସୀମାରେ ରହିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଚର୍ଦାପାଲି ପଂଚାୟତ । ୪ ହଜାର ଜନସଂଖ୍ୟା ବିଶିଷ୍ଠ ଏହି ପଂଚାୟତରେ ଚଙ୍ଗରିଆ, ଚର୍ଦାପାଲି, ଗୁଣ୍ଡିଚାଡିହ, ଲହଣ୍ଡିପୁର ଓ ଲିହିରାକୋଟ ଭଳି ୫ଟି ଗାଁ ରହିଛି । ଅଂଗ ନଦୀ ଯୋଗୁଁ ବର୍ଷର ଅଧିକାଂଶ ସମୟ ଓଡିଶାରୁ ବିଛିନ୍ନ ହୋଇଯାଏ  ଏହି ପଂଚାୟତ । ପ୍ରଶାସନିକ ଅବହେଳା କାରଣରୁ ଏହି ଅଂଚଳବାସୀ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି । ସେଠାକାର ଲୋକେ ସରକାରୀ ପିଡିଏସ୍ ସାମଗ୍ରୀ ଓ ଭତ୍ତା ପାଉଛନ୍ତି, କିନ୍ତୁ ଏସବୁ ଆଣିବା ପାଇଁ ଅନେକ ହିତାଧିକାରୀଙ୍କୁ ନଈ ପାରି ହେବାକୁ ପଡେ । ଅଙ୍ଗ ନଦୀ ଯୋଗୁଁ ଲୋକ ସମସ୍ୟା ଭୋଗୁଥିଲେ ବି ଓଡିଶା ସରକାର ଏହାର ସ୍ଥାୟୀ ସମାଧାନ କରୁନାହାନ୍ତି । ତେଣୁ ଚର୍ଦାପାଲି ପଂଚାୟତର ଲୋକେ ପଡୋଶୀ ରାଜ୍ୟ ଛତିଶଗଡ ଉପରେ ନିର୍ଭର କରୁଛନ୍ତି ।

ଓଡିଶା ଚର୍ଦାପାଲି ପଂଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି । ହେଲେ ସେଠାରେୁ ଡାକ୍ତର କି ନର୍ସ ନାହାନ୍ତି, ତେଣୁ ଚିକିତ୍ସା ପାଇଁ ଲୋକଙ୍କୁ ଛତିଶଗଡ ଯିବାକୁ ହୁଏ । ସେହିପରି ପଂଚାୟତର ୫ଟି ଗାଁକୁ ପକ୍କା ରାସ୍ତାଟିଏ ମଧ୍ୟ ନାହିଁ । ଏମିତି ଅନେକ ସମସ୍ୟା ଭିତରେ ଘାଂଟି ହେଉଥିବା ଗ୍ରାମବାସୀ ଓଡିଶା ଛାଡି ଛତିଶଗଡରେ ମିଶିବାକୁ ମନ କରିଛନ୍ତି । ଚର୍ଦାପାଲି ପଂଚାୟତର ଏକ ପ୍ରତିନିଧି  ଦଳ ଛତିଶଗଡର ଅନୁସୁଚିତ ଜାତି ବିକାଶ ପ୍ରାଧିକରଣ ମନ୍ତ୍ରୀ କିସ୍ମତ ଲାଲ ନନ୍ଦଙ୍କୁ ଭେଟିି ଛତିଶଗଡରେ ମିଶିବା ପାଇଁ ଲିଖିତ ଭାବେ ଆବେଦନ କରିଥିବା ଜଣାପଡିଛି ।

ପ୍ରଶାସନିକ ଅବହେଳା କାରଣରୁ ଉପାନ୍ତ ଅଂଚଳର ଏହି ପଂଚାୟତ ପଡୋଶୀ ରାଜ୍ୟ ଛତିଶଗଡ ସହ ମିଶିବା ପାଇଁ ସଜବାଜ ହେଉଛି, ତେବେ ପ୍ରଶାସନ ଚର୍ଦପାଲି ପଂଚାୟତର ସମସ୍ୟା ସମାଧାନ ନକଲେ ଏଠାକାର ଲୋକ ଛତିଶଗଡରେ ମିଶି ଯିବାର ଆଶଙ୍କା ରହିଛି ।