ଅପହଞ୍ଚ ଅଞ୍ଚଳରେ ଗଛମୂଳେ ଚାଲିଛି ବ୍ୟାଙ୍କ ସେବା । ନେଟୱର୍କ ଆସୁନଥିବାରୁ ଗଛରେ ମୋବାଇଲ ବାନ୍ଧି ବ୍ୟାଙ୍କ କାର୍ଯ୍ୟ କରୁଛନ୍ତି ଶିକ୍ଷିତା ଯୁବତୀ

62

କନକ ବ୍ୟୁରୋ : ଗଛମୂଳେ ଚାଲିଛି ବ୍ୟାଙ୍କ ସେବା । ନେଟୱର୍କ ନଥିବାରୁ ଗଛରେ ଡାଳରେ ବନ୍ଧା ହୋଇଛି ମୋବାଇଲ ଫୋନ୍ । ଆଉ ମୋବାଇଲ ନେଟୱର୍କରେ ଗଛ ତଳେ ବସି ଲ୍ୟାପଟପ ଦରି ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ଶିକ୍ଷିତା ଯୁବତୀ ପାର୍ବତୀ ଜେମେଲ୍ । ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ଏଭଳି ଯୋଗାଇ ଦିଆଯାଉଛି ବ୍ୟାଙ୍କ ସେବା ।

ଏହି ଚିତ୍ର ଆସିଛି କୋରାପୁଟ ଜିଲ୍ଲା ଦେଓପଟାଙ୍ଗୀ ଅଞ୍ଚଳରୁ । ଭତ୍ତା କିମ୍ବା ବ୍ୟାଙ୍କ ସେବା ପାଇଁ ଗ୍ରାମବାସୀଙ୍କୁ ୩୦, ୪୦ କିଲୋମିଟର ଯାତ୍ରା କରିବାକୁ ପଡୁଥିବାବେଳେ, ଲାଇନରେ ବି ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡୁଥିଲା । ପରିଣତ ବୟସରେ ଭତ୍ତା ନେବା କଷ୍ଟସାଧ୍ୟ ହୋଇଥିବାବେଳେ ଗ୍ରାମବାସୀଙ୍କୁ ଏଭଳି ଅଭିନବ ଶୈଳୀରେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ଶିକ୍ଷିତା ଯୁବତୀ ।

ଏଣିକି ବ୍ୟାଙ୍କର କୌଣସି କାମ ପାଇଁ ଗ୍ରାମବାସୀଙ୍କୁ ମାଇଲ ମାଇଲ ଦୂର ଯିବାକୁ ପଡୁନି । ଗ୍ରାମବାସୀଙ୍କ ପାଖରେ ଏଭଳି ବ୍ୟାଙ୍କ ସେବା ଯୋଗାଇ ଦିଆଯାଉଥିବାରୁ ବ୍ୟାଙ୍କ କର୍ମଚାରୀ ପାର୍ବତୀଙ୍କ ଭୁରି ଭୁରି ପ୍ରଶଂସା କରିଛନ୍ତି ଦେଓପଟାଙ୍ଗୀ ଅଞ୍ଚଳର ଗ୍ରାମବାସୀ । ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କରୁଥିବାବେଳେ ତାହା କେବଳ କାଗଜ କଲମରେ ରହି ଯାଇଛି । ଏଭଳି ସ୍ଥିତିରେ ପାର୍ବତୀ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଁଚାଉଥିବାରୁ ଏହାକୁ ନେଇ ଦେଓପଟାଙ୍ଗୀ ଅଂଚଳବାସୀ ବେଶ ଖୁସି ଅନୁଭବ କରିଛନ୍ତି ।