ଆସନ୍ତାକାଲି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

42

କନକ ବ୍ୟୁରୋ: ଆସନ୍ତାକାଲି (ମଙ୍ଗଳବାର) ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ । ବ୍ୟାଙ୍କ ସଂଘର ମିଳିତ ଫୋରମ୍ ଅଧୀନରେ ଥିବା ବ୍ୟାଙ୍କ ସଂଘ ଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି । ଏଥିଯୋଗୁଁ ସରକାରୀ ବ୍ୟାଙ୍କ ଗୁଡ଼ିକରେ ବ୍ୟାଙ୍କିଂ ସେବା ବ୍ୟାହତ ହେବା ଆଶଙ୍କା ରହିଛି ।

ସରକାରଙ୍କ ପ୍ରସ୍ତାବିତ ବ୍ୟାଙ୍କ ମିଶ୍ରଣ ନୀତିକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଧର୍ମଘଟ ହୁଏ ତାହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ ବୋଲି ଅଧିକାଂଶ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଅବଗତ କରାଉଥିବା ଜଣାଯାଇଛି ।

ତେବେ ବ୍ୟାଙ୍କ ଧର୍ମଘଟରେ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆଦିର ସେବା ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି । କେବଳ ଚେକ୍ କ୍ଲିଅର ବିଳମ୍ବ ହେବା ଆଶଙ୍କା ରହିଛି । ପୂର୍ବରୁ ମୁଖ୍ୟ ଶ୍ରମ କମିସନରଙ୍କ ସହିତ ବ୍ୟାଙ୍କ ସଂଘର ହୋଇଥିବା ଆଲୋଚନା ବିଫଳ ହେବାରୁ ସଂଘ ଗୁଡ଼ିକ ଧର୍ମଘଟକୁ ଓହ୍ଲାଇଛନ୍ତି ।

ଧର୍ମଘଟ ଯୋଗୁଁ ଓଡ଼ିଶାରେ ପ୍ରାୟ ୫୦୦୦ ବ୍ୟାଙ୍କ ଶାଖା ବନ୍ଦ ରହିବ । ଦେଶରେ ୧୦ ଲକ୍ଷ କର୍ମଚାରୀ ବ୍ୟାଙ୍କ ଧର୍ମଘଟରେ ସାମିଲ ହେବାକୁ ଥିବାବେଳେ ରାଜ୍ୟରେ ପ୍ରାୟ ୪୦ ହଜାର ବ୍ୟାଙ୍କ କର୍ମଚାରୀ ଏଥିରେ ସାମିଲ ହେବେ ବୋଲି ୟୁଏଫବିୟୁ ଓଡ଼ିଶା ୟୁନିଟ୍ ଆବାହକ ଜ୍ୟୋତି ଭୂଷଣ ମହାପାତ୍ର କହିଛନ୍ତି ।