ଅଗଷ୍ଟ ୧ରୁ ବଦଳିବ ଅନେକ ନିୟମ। ପଢନ୍ତୁ ବଦଳିବ କେଉଁ ନିୟମ …

322

କନକ ବ୍ୟୁରୋ : କିଛି ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ମାସ ଆରମ୍ଭରୁ ଅନେକ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି । ବିଶେଷ କରି ଟଙ୍କା ନେଣଦେଣକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହୋଇପାରେ । ସେହିଭଳି ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ପରିବର୍ତ୍ତନ ହୋଇଥାଏ । ତେବେ ଆହୁରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ ।

ଅଗଷ୍ଟ ଏକ ତାରିଖରୁ ବ୍ୟାଙ୍କ ଅଫ୍ ବରୋଦାରେ ଚେକରେ ଟଙ୍କା ଦେବାର ନିୟମରେ ପରିବର୍ତ୍ତନ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ କରିବାକୁ ଯାଇ ବ୍ୟାଙ୍କ ଅଫ୍ ବରୋଦା ଚେକ ପେମେଣ୍ଟର ନିୟମରେ ପରିବର୍ତ୍ତନ କରିବ । ଏନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ସୂଚିତ କରିଯାଇଛି ଯେ ଆସନ୍ତା ୧ତାରିଖରୁ ପାଞ୍ଚ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କାର ଚେକ୍ ଦେବା ବେଳେ ପଜିଟିଭ ପେ ସିଷ୍ଟମ ଲାଗୁ ହେବ । ଏହା ହେବା ଦ୍ୱାରା ଚେକ୍ ଜାରିକରିଥିବା ବ୍ୟକ୍ତିଙ୍କୁ ଚେକ୍ ସହ ଜଡିତ ତଥ୍ୟ ଏସଏମଏସ, ନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ଆପ୍ ଜରିଆରେ ବ୍ୟାଙ୍କକୁ ଦେବାକୁ ପଡିବ । ଏହା ପରେ ହିଁ ଚେକ ଗ୍ରହଣ ହେବା ସହ ଟଙ୍କା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯିବ । ଯଦି କେହି ଚେକ୍ ଜାରିକରନ୍ତି ତେବେ ତାଙ୍କ ନମ୍ବର, କେତେ ଟଙ୍କା ସେ ଚେକ୍ ଜରିଆରେ ଦେବେ, କାହାକୁ ସେ ଟଙ୍କା ଦେବେ ସେ ତଥ୍ୟ ସହ ଆଉ କିଛି ତଥ୍ୟ ବ୍ୟାଙ୍କକୁ ଦେବାକୁ ପଡିବ ।

ସେହିଭଳି ପ୍ରତ୍ୟେକ ମାସର ଏକ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ହୋଇଥାଏ । ଅଗଷ୍ଟ ଏକ ତାରିଖରେ ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଗ୍ୟାସ ସିଲିଣ୍ଡରର ଦର ନିର୍ଣ୍ଣୟ କରିବେ । ଗତ ଥର ଭଳି ଚଳିତ ମାସରେ ମଧ୍ୟ ଗ୍ୟାସ ଦର ବୃଦ୍ଧି ହୋଇପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଠକେଇ ରୋକିବା ପାଇଁ ୨୦୨୦ ମସିହାରେ ଚେକ ପାଇଁ ପଜିଟିଭ ପେ ସିଷ୍ଟମର ଶୁଭାରମ୍ଭ କରିଥିଲା । ଏହି ସିଷ୍ଟମ ଜରିଆରେ ଚେକ ମାଧ୍ୟମରେ ୫୦ ହଜାରରୁ ଅଧିକ ଟଙ୍କାର ନେଣଦେଣ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ଜରୁରୀ ହୋଇଥାଏ । ଏହି ସିଷ୍ଟମ ଅନୁସାରେ ଏସଏମଏସ, ବ୍ୟାଙ୍କର ମୋବାଇଲ ଆପ୍ କିମ୍ବା ଏଟିଏମ ଜରିଆରେ ଚେକ୍ ଜାରି କରୁଥିବା ବ୍ୟକ୍ତିଙ୍କୁ ଚେକ ସହ ଜଡିତ କିଛି ତଥ୍ୟ ବ୍ୟାଙ୍କକୁ ଦେବାକୁ ପଡିଥାଏ । ଚେକକୁ ଦେବା ସମୟରେ ଏହାକୁ ଯାଞ୍ଚ କରାଯାଇଥାଏ । ଯଦି ସମସ୍ତ ତଥ୍ୟ ସଠିକ ହୋଇଥାଏ ତେବେ ଟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥାଏ ।

ଅଗଷ୍ଟ ମାସରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରଖିବାର ସୂଚୀ ଜାରି କରିଛି । ଏହି ମାସରେ ମହରମ, ରକ୍ଷାବନ୍ଧନ, ସ୍ୱାଧୀନତା ଦିବସ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଷପୂଜା ଭଳି ଅନେକ ପୂଜାପର୍ବ ପାଇଁ ବ୍ୟାଙ୍କ ଛୁଟି ରହିବ । ଏହାଛଡା ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେବେ ଏସବୁକୁ ମିଶାଇଦେଲେ ଅଗଷ୍ଟମାସରେ ମୋଟ ୧୮ ଦିନ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ ।