ପୁଣି ଏଟିଏମ ବଢାଇବ ଚିନ୍ତା, ସରିଯାଇପାରେ ଟଙ୍କା ! ଜଲଦି ସାରନ୍ତୁ ଆପଣଙ୍କ ବ୍ୟାଙ୍କ କାମ , ଲଗାତାର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

77

ଦେଶର ବିଭିନ୍ନ ସ୍ଥାନରେ ଏଟିଏମରେ ନଗଦ ଟଙ୍କା ନ ରହିବାରୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଆଉ ଏହି ବୋଝ ଉପରେ ଏବେ ନଳିତା ବିଡା ସାଜିବାକୁ ଯାଉଛି ବ୍ୟାଙ୍କ । ଆଗାମୀ ଏପ୍ରିଲ ୨୮ରୁ ୩୦ ତାରିଖ ଯାଏଁ ଲଗାତାର ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ରହିବା ଦ୍ୱାରା ପୁଣିଥରେ ନଗଦ ଟଙ୍କାର ସମସ୍ୟା ଦେଖା ଦେଇପାରେ । ଏପ୍ରିଲ ୨୮ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ହୋଇଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ । ସେହିଭଳି ୨୯ ତାରିଖ ରବିବାର ପାଇଁ ବ୍ୟାଙ୍କ ଛୁଟି ଓ ୩୦ ତାରିଖରେ ବୁଦ୍ଧ ପୁର୍ଣ୍ଣିମା ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ।

ଲଗାତାର ତିନି ଦିନ ଛୁଟି ରହୁଥିବାରୁ ଶୁକ୍ରବାର ପରେ ଏଟିଏମରେ ଆଉ ଟଙ୍କା ଭରାଯିବ ନାହିଁ । ଫଳରେ ନଗଦ ଟଙ୍କା ସମସ୍ୟା ଉପୁଜିପାରେ । ଲମ୍ବା ଛୁଟି ପୂର୍ବରୁ ବ୍ୟାଙ୍କ ଅତିରିକ୍ତ ଟଙ୍କା ଏଟିଏମରେ ଜମା କରିଥାଏ । କିନ୍ତୁ ଏବେ ଦେଶରେ ଯେଉଁଭଳି ନଗଦ ଟଙ୍କାର ଅଭାବ ଦେଖା ଦେଇଛି ତାହା ପୁଣିଥରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ।

ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଛୋଟ ସହରର ଲୋକ ମାନେ ଏସବିଆଇର ପିଓଏସ ମେସିନରୁ ମଧ୍ୟ ଟଙ୍କା ଉଠାଣ କରି ପାରିବେ । ତେବେ ନିୟମ ଅନୁଯାୟୀ, ପିଓଏସ ମେସିନ ସାହାଯ୍ୟରେ ଦିନକୁ ମାତ୍ର ୨୦୦୦ ଟଙ୍କା ଉଠାଣ କରିପାରିବେ ଲୋକ । ଏଥିପାଇଁ ଗ୍ରାହକଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ । ଏସବିଆଇ ବ୍ୟତୀତ ଅନ୍ୟ ବ୍ୟାଙ୍କର ଏଟିଏମ କାର୍ଡରୁ ମଧ୍ୟ ପିଓଏସ ମେସିନରୁ ଟଙ୍କା ଉଠାଣ କରାଯାଇ ପାରିବ । ପୂରା ଦେଶରେ ଏସିବଆଇର ମୋଟ ୬ ଲକ୍ଷ ୮ ହଜାର ପିଓଏସ ମେସିନ ରହିଥବା ବେଳେ ୪. ୭୮ ହଜାର ପିଓଏସ ମେସିନରେ ଟଙ୍କା ଉଠାଇବାର ସୁବିଧା ରହିଛି ।