ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । ମାଟି କାମୁଡିଲା ବାଂଲାଦେଶ, ବିଜୟ ଦ୍ୱାରଦେଶରେ ବିରାଟ ବାହିନୀ ।

191

କନକ ବ୍ୟୁରୋ : ଇଡେନ ଗାର୍ଡେନରେ ଚାଲିଥିବା ପିଙ୍କ୍ ବଲ ଟେଷ୍ଟରେ ଭାରତ ବିଜୟର ଦ୍ୱାର ଦେଶରେ ପହଂଚିଛି । ଭ୍ରମଣକାରୀ ବାଂଲାଦେଶ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୧୫୨ ରନ୍ କରି ପାଳି ପରାଜୟ ଆଡକୁ ମୁହାଁଇଛି । ବାଂଲାଦେଶ ହାତରେ ଏବେ ୪ ୱିକେଟ ଥିଲା ବେଳେ ଦଳ ଏବେ ବି ଭାରତର ପ୍ରଥମ ପାଳି ସ୍କୋର ଠାରୁ ୮୯ ରନ ଦୂରରେ ରହିଛି । ଏବେ ଏହି ଐତିହାସିକ ମ୍ୟାଚ ବିଜୟ ଠାରୁ ଭାରତ ମାତ୍ର ୪ ୱିକେଟ ଦୂରରେ ଅଛି । ଶନିବାର ଖେଳ ବନ୍ଦ ବେଳକୁ ଲଢୁଆ ମୁସଫିକର ୫୯ରନ କରି ଅପରାଜିତ ରହିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ୧୦୬ ରନରେ ଅଲଆଉଟ ହୋଇଯାଇଥିଲା ବାଂଲାଦେଶ । ୧୦୬ ରନର ସ୍କୋରକୁ ପିଛା କରି ୯ ୱିକେଟ ହରାଇ ୩୪୭ ରନରେ ପ୍ରଥମ ଇନିଂସ ଘୋଷଣା କରିଛି ଭାରତ । ପ୍ରଥମ ଇନିଂସ ଭିତିରେ ଭାରତ ବାଂଲାଦେଶ ଠାରୁ ହାସଲ କରିଛି ୨୪୧ ରନର ଅଗ୍ରଣୀ । ବିରାଟ କୋହଲି ଇଡେନରେ ଖେଳିଥିଲେ ୧୩୬ ରନର ଶତକୀୟ ଇନିଂସ । ସେହିପରି ମଧ୍ୟକ୍ରମରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ମଧ୍ୟ ଅର୍ଦ୍ଧଶତକ ଜମେଇଥିଲେ । ବାଂଲାଦେଶ ପକ୍ଷରୁ ଅମିନ୍ ହୁସେନ୍ ଓ ଇବାଦତ୍ ହୁସେନ୍ ୩ଟି ଲେଖାଏଁ ୱିକେଟ୍ ଦଖଲ କରିଥିଲେ ।

ତେବେ ବାଂଲାଦେଶର ଦ୍ୱିତୀୟ ଇନିଂସ ମଧ୍ୟ ଭଲ ରହିନାହିଁ । ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ବି ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି । ଦଳ ଶସ୍ତାରେ ପ୍ରମୁଖ ଦୁଇ ଓପନରଙ୍କୁ ହରାଇବା ପରେ ଦଳୀୟ ସ୍କୋର ୧୩ ଥିବା ବେଳେ ୪ ୱିକେଟ ହରାଇ ଅଡୁଆରେ ପଡିଥିଲା । ତେବେ ମୁସଫିକରଙ୍କ ଅପରାଜିତ ୫୯ ରନ ଓ ଆଘାତପ୍ରାପ୍ତ ହୋଇ ରିଟାୟର୍ଡ ହଟ୍ ହୋଇଥିବା ମହମ୍ମଦୁଲା ଦାୟିତ୍ୱବାନ ୩୯ ରନ ବଳରେ ବାଂଲାଦେଶ ୩୩ ଓଭରରେ ୬ ୱିକେଟ ହରାଇ ୧୫୨ ରନ କରିପାରିଛି ।