ବୁଲଡୋଜର ଜାଳି ଦେବାକୁ ଧମକ ଦେଲେ ଉତ୍ତର ପ୍ରଦେଶର ବିଜେପି ବିଧାୟିକା, ଜାଣନ୍ତୁ କାରଣ

153

କନକ ବ୍ୟୁରୋ: ଦେଶ ରାଜନୀତିରେ ବୁଲଡୋଜର ଏକ ବଡ ପ୍ରସଙ୍ଗ ହୋଇସାରିଛି । ଅବୈଧ ଦଖଲ ଖାଲି କରିବାକୁ ଯୋଗୀ ସରକାର ଆରମ୍ଭ କରିଥିବା ବୁଲଡୋଜର ଅପରେଶନ ଏବେ ଉତ୍ତର ପ୍ରଦେଶ ବ୍ୟତୀତ ବିଜେପି ଶାସିତ ଅନ୍ୟ କିଛି ପ୍ରଦେଶରେ ବି ଦେଖିବାକୁ ମିଳିଛି । ହେଲେ ଯୋଗୀଙ୍କ ବୁଲଡୋଜର ଅପରେଶନକୁ ଏବେ ସିଧାସଳଖ ବିରୋଧ କରିଛନ୍ତି ଉତ୍ତର ପ୍ରଦେଶର ଜଣେ ମହିଳା ବିଧାୟିକା। ସେ କେବଳ ବିରୋଧ କରିନାହାଁନ୍ତି ବରଂ ବୁଲଡୋଜରକୁ ଜାଳିଦେବା ସହ ବୁଲଡୋଜର ନେଇ ଯାଇଥିବା ତହସିଲଦାରଙ୍କୁ ଅସଭ୍ୟ ବ୍ୟବହାର କରିଛନ୍ତି ।

ଉତ୍ତର ପ୍ରଦେଶ ବାଲିଆ ବିଧାନସଭା ମଣ୍ଡଳୀରୁ ବିଜେପି ଟିକେଟରେ ବିଧାୟିକା ହୋଇଥିବା କେତକୀ ସିଂଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ଅବୈଧ ଦଖଲ ଖାଲିକରିବାକୁ ବୁଲଡୋଜର ଧରି ଆସିଥିବା ଜଣେ ତହସିଲଦାରଙ୍କୁ ସେ ଅତ୍ୟନ୍ତ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି ।

କହିରଖୁ କି ସୂଚନା ମୁତାବକ ତହସିଲଦାର ଜଣଙ୍କ କୋର୍ଟର ଅଦେଶ ମୁତାବକ ଗୋଟିଏ ଘରେ ବୁଲଡୋଜର ଚଳାଇ ଏହାର କିଛି ଅଂଶ ଭାଙ୍ଗି ସାରିିଥିଲେ । ଏନେଇ ଯେତେବେଳେ ବିଧାୟିକା ଜଣଙ୍କ ସୂଚନା ପାଇଲେ ସେ ତାଙ୍କର ସମର୍ଥକମାନଙ୍କୁ ଧରି ଘଟଣା ସ୍ଥଳରେ ପହଂଚିଥିଲେ । ସେଠାରେ ସେ କ୍ଷୁବ୍ଧ ହୋଇ ତହସିଲଦାରଙ୍କୁ ଗାଳିଦେବା ସହ ଆଉ ଆଗକୁ ବଢିଲେ ପୁରା ତହସିଲ ଅଫିସରେ ବୁଲଡୋଜର ଚଲାଇ ଦେବାକୁ ଧମକ ଦେଇଛନ୍ତି  । ଏହାସହ ବୁଲଡୋଜର ଜାଳିଦେବାକୁ କେତକୀଙ୍କ ସମର୍ଥକମାନେ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏନେଇ କେତକୀ ଗଣମାଧ୍ୟମକୁ କହିଛନ୍ତି କି ତାଙ୍କ ଅଣ ଜେଜେ ଅଜାଣତରେ ସରକାରୀ ଜମିରେ ଏକ କୋଠା ନିର୍ମାଣ କରିଥିଲେ । ହେଲେ ସରକାର କୌଣସି ନୋଟିସ ବିନା ଏହି କୋଠାକୁ ଭାଙ୍ଗିବାକୁ ବୁଲଡୋଜର ପଠାଇଥିବାରୁ ସେ ତହସିଲଦାରଙ୍କୁ ଏଭଳି ବ୍ୟବହାର କରିଛନ୍ତି ।