ବାଲିଅନ୍ତାରେ ଅଭାବନୀୟ ଚିତ୍ର ! ଟ୍ରାକ୍ଟରରେ ବସି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ଟ୍ରାକ୍ଟରରେ ଅତି ବିପଜ୍ଜନକ ଭାବେ ସ୍କୁଲ୍କୁ ଯାଉଛନ୍ତି କୁନି କୁନି ପିଲା

129
କନକ ବ୍ୟୁରୋ : ଟ୍ରାକ୍ଟରରେ ଅତି ବିପଜ୍ଜନକ ଭାବେ ସ୍କୁଲ୍କୁ ଯାଉଛନ୍ତି କୁନି କୁନି ପିଲା। କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀ ନାକ ତଳେ ପ୍ରତିଦିନ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ସରକାର ବିଦ୍ୟାଳୟରେ ପାଠପଢ଼ାର ମାନ ବୃଦ୍ଧି କରିବା ଲାଗି ଯୋଜନା ପରେ ଯୋଜନା କରୁଛନ୍ତି। ମାଗଣା ପାଠ୍ୟ ପୁସ୍ତକଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି। ହେଲେ ପିଲା କିପରି ସ୍କୁଲ୍କୁ ଆସୁଛି ସେଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଥାନା ଅଧିକାରୀ, ତହସିଲଦାର ଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଓ ଶ୍ରମ ବିଭାଗ ଅଧିକାରୀମାନେ ଏହି ରାସ୍ତାରେ ଯାତାୟାତ କରିବା ବେଳେ ଏପରି ଦୃଶ୍ୟ ଦେଖୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏ ନେଇ ସଚେତନ ବ୍ୟକ୍ତିବିଶେଷ ଉଦବେଗ ପ୍ରକାଶ କରିଛନ୍ତି।
ବାଲିଅନ୍ତା ବ୍ଲକ୍ ଭୁବନପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଟ୍ରାକ୍ଟର ଡାଲାରେ ଭର୍ତି ବାଲି, ଗୋଡ଼ି, ମାଟି ଓ ଇଟା ଉପରେ ବସି ଏ ଅଞ୍ଚଳର ୪୦ ଜଣ ପିଲା ପ୍ରତିଦିନ ସ୍କୁଲ୍ ଯାଉଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ଟ୍ରାକ୍ଟରଟି ଭୁବନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲ ଗେଟ୍ ନିକଟରେ ଅଟକିଥିଲା। ପିଲାମାନେ ଟ୍ରାକ୍ଟର ଓହ୍ଲାଇ ଉକ୍ତ ସ୍କୁଲ ଭିତରକୁ ଯାଇଥିଲେ। ଏହାର କିଛି ସମୟ ପରେ ଆଉ ଗୋଟିଏ ଟ୍ରାକ୍ଟର ବି ଆସିଥିଲା। ଏ ସଂପର୍କରେ ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ ବାବୁଲି ଖଟୁଆଙ୍କୁ ଯୋଗାଯୋଗ କରିଥିଲୁ। ପିଲାମାନେ ଏପରି ଟ୍ରାକ୍ଟରରେ ଆସୁଥିବା କଥାକୁ ସେ ସ୍ବୀକାର କରିବା ସହିତ କାଁ ଭାଁ ଏହା ତାଙ୍କ ନଜରକୁ ଆସିଥିବା କହିଥିଲେ।
ତେବେ ଏନେଇ ସେ ପୂର୍ବରୁ ପିଲାଙ୍କ ଅଭିଭାବକମାନଙ୍କୁ ତାଗିଦ କରିଥିବା କହିଥିଲେ। ହେଲେ ତାଙ୍କ ବାରଣ ସତ୍ବେ ପିଲାମାନେ ଏପରି ଟ୍ରାକ୍ଟର ଆସୁଛନ୍ତି। ଏ ନେଇ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଶିକ୍ଷା କମିଟି ଚେୟାରମ୍ୟାନ ମହେନ୍ଦ୍ର କୁମାର ସାହୁ ମଧ୍ୟ ସମାନ ମତ ଦେଇଛନ୍ତି। ବାଲିଅନ୍ତା ବିଇଓ ସ୍ନିଗ୍ଧା ମିଶ୍ର କହିଛନ୍ତି, ଏଭଳି ଘଟଣା ତାଙ୍କ ନଜରକୁ ଆସିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଲାମାନଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ଖୋର୍ଧ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ଖାଲି ଭୁବନପୁର ନୁହେଁ ବାଲିଅନ୍ତାର ବିଭିନ୍ନ ଇଟାଭାଟି ବସ୍ତି ଅଞ୍ଚଳରୁ ଆହୁରି ଅନେକ ପିଲା ମଧ୍ୟ ଏଭଳି ବିପଜ୍ଜନକ ଭାବେ ସ୍କୁଲ୍କୁ ଯାତାୟାତ କରୁଛନ୍ତି।