ଜୀବନ ନେଇଗଲା ଜନ୍ମଦାତ୍ରୀ : ସାନ ପୁଅକୁ ମାରି ଶୋଇବା ଘରେ ପୋତି ଦେଇଥିଲା ମାଆ; ହତ୍ୟାକାଣ୍ଡର ୧୧ ଦିନ ପରେ ପଦାରେ ପଡିଲା ଖବର

ବାଲେଶ୍ୱରରେ ଚାଂଚଲ୍ୟ, ଅଭିଯୁକ୍ତ ମାଆ ଓ ବଡ ପୁଅକୁ ବାନ୍ଧିଲା ପୁଲିସ

304

କନକ ବ୍ୟୁରୋ : ପୁଅକୁ ହତ୍ୟା କରି ଘର ଭିତରେ ପୋତିଦେଇଥିଲା ମାଆ । ବିଶ୍ୱାସ ଲାଗୁନଥିଲେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଚ୍ଛାପୁର ପୋଖରୀ ଗାଁରେ ଘଟିଛି ଏହି ଘଟଣା । ଜନ୍ମକଲା ପୁଅକୁ ନିର୍ମମ ଭାବେ ମାଆ ନିଜ ବଡ ପୁଅ ସହ ମିଶି ହତ୍ୟା କରି ଶୋଇବା ଘରେ ଲୁଣି ଦେଇ ପୋତି ଦେଇଥିଲେ । ହତ୍ୟାକାଣ୍ଡର ୧୧ଦିନ ପରେ ଏହି ଘଟଣା ପଦାକୁ ଆସିଛି । ଖବର ପାଇ ସୋର ଥାନା ପୁଲିସ ଗାଁରେ ପହଂଚି ଅଭିଯୁକ୍ତ ମାଆ ଶୁକୁରୀ ଜେନା ଓ ବଡ ପୁଅ ଜଗବନ୍ଧୁ ଜେନାକୁ ଗିରଫ କରିଛି ।

ସୂଚନା ଅନୁସାରେ, ଗତ ୧୨ ତାରିଖ ରାତି ୧୧ଟାରେ ଶୁକୁରୀ ଜେନାଙ୍କ ସାନ ପୁଅ ବଳରାମ ମଦ ପିଇ ଘରକୁ ଫେରିଥିଲା । ଘରେ କୌଣସି କଥାକୁ ନେଇ ଉଭୟ ମାଆ ଓ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ଶୁକୁରୀ ଜେନା ଓ ବଡ ପୁଅ ମିଶି ସାନ ପୁଅ ବଳରାମ ଜେନାକୁ ଶାବଳରେ ଆକ୍ରମଣ କରିଥିଲେ । ଶାବଳ ମାଡରେ ଘଟଣାସ୍ଥଳରେ ଟଳି ପଡିଥିଲା ବଳରାମ । ଏହି ଘଟଣାକୁ ଚପେଇ ଦେବାକୁ ଯାଇ ମାଆ ଓ ବଡ ପୁଅ ମିଶି ସାନ ପୁଅର ମୃତଦେହକୁ ଶୋଇବା ଘରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ । ଏହାରି ଭିତରେ ୧୧ ଦିନ ବିତିଗଲା, ସାନ ଭାଇର ପିଣ୍ଡ ଶ୍ରାଦ୍ଧ କରି ବଡ ଭାଇ ଜଗବନ୍ଧୁ ଜେନା ଫେରିବା ପରେ ପୁରା ଘଟଣା ଜଣାପଡିଛି ।