ଜୁନ ମାସରେ ସର୍ବନିମ୍ନ ଦୈନିକ ସଂକ୍ରମଣ : ୨୪ ଘଂଟାରେ ୨୬୪୦ ପଜିଟିଭ ଚିହ୍ନଟ, ୪୦ ମୃତ

155

କନକ ବ୍ୟୁରୋ : ଜୁନର ସର୍ବନିମ୍ନ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୨ ହଜାର ୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । କ୍ୱାରେଂଟିନରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମଣ ୧୧୨୩ ରହିଛି । ବଡକଥା ହେଉଛି ଗତ ୨୪ ଘଂଟାରେ ଖୋର୍ଦ୍ଧା ଓ କଟକ ତୁଳନାରେ ବାଲେଶ୍ୱରରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ସର୍ବାଧିକ ୩୯୭, ଖୋର୍ଦ୍ଧାରେ ୩୬୫ ଓ କଟକ ଜିଲ୍ଲାରେ ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ମୋଟ୍ ୬୩ ହଜାର ୬୯୫ ନମୂନା ପରୀକ୍ଷା ହୋଇଥିବାବେଳେ ଟେଷ୍ଟ ପଜିଟିଭ ହାର ରହିଛି ୪ ଦଶମିକ ୧୪ ପ୍ରତିଶତ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୬୧୯ ରହିଛି । ତେବେ ୪ଟି ଜିଲ୍ଲା ଏବେ ବି ରେଡ ଜୋନରେ ରହିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ଯୋରଦାର ପ୍ରୟାସ ଚଳାଇଥିବାବେଳେ କଟକଣା ସମୟ ସୀମା ସରିବାକୁ ଯାଉଛି । ହେଲେ ୩ ହଜାର ଆଖପାଖରେ ରହୁଛି ଦୈନିକ ସଂକ୍ରମଣ ।

ଆଜିକୁ ମିଶାଇ ଗତ ୨ ସପ୍ତାହରେ ମାତ୍ର ୩ ଥର ସଂକ୍ରମଣ ୩ ହଜାର ତଳକୁ ଯାଇଛି । ଏଭଳି ପରିସ୍ଥିତିରେ ଲକଡାଉନ କଟକଣାରେ ବଡଧରଣ କୋହଳ ହେବା ସମ୍ଭାବନା କମ୍ । କାରଣ ୫ ପ୍ରତିଶତରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା କୋହଳ ହୋଇପାରେ ବୋଲି ସରକାର କହିଛନ୍ତି ।