ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲା,କ୍ରାଇମବ୍ରାଞ୍ଚର ତନାଘନା : ୨ ମାଷ୍ଟରମାଇଣ୍ଡ ମନୋଜ ଓ ଆଲୋକଙ୍କ ପତ୍ନୀଙ୍କୁ ମାରାଥନ ଜେରା

91

କନକ ବ୍ୟୁରୋ : ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ମାମଲାର ତଦନ୍ତ କରୁଛନ୍ତି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ସହ ସେମାନଙ୍କୁ ପତ୍ନୀଙ୍କୁ ମଧ୍ୟ ଜେରା କରାଯାଇଛି । ଦୁଇ ମାଷ୍ଟରମାଇଣ୍ଡଙ୍କ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସ୍ତ୍ରୀଙ୍କୁ ଟାଉନ ଥାନାକୁ ଡାକି ଗୁଡାଇ ତୁଡାଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ଉଭୟଙ୍କୁ ମାରାଥନ ଜେରା କରିଥିବା ସୂଚନା ମିଳିଛି ।

କିନ୍ତୁ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତଭାେ ନେବାକୁ ୭ ଦିନ ପୁରିଥିଲେ ବି ଗିରଫଦାରୀ ସଂଖ୍ୟା ବଢିନାହିଁ । ଏହି ରାକେଟରେ ଥିବା ଅନ୍ୟ କାର୍ପଟଦାରଙ୍କୁ ଧରିବାରେ ସଫଳ ହୋଇନି କ୍ରାଇମବ୍ରାଞ୍ଚ । ଏପେଟ କେମିତି ଅଧୀକ୍ଷକ ସାର୍ଟିଫିକେଟ୍ ନକଲି ବୋଲି ଜାଣିଲେ ? କେମିତି ସନ୍ଦେହ ହେଲା ଓ ସେ ନକଲି ଧରିବାରେ କେମିତି ସଫଳ ହେଲେ ? ସେ ସମ୍ପର୍କିତ ସମସ୍ତ ତଥ୍ୟ ଡାକ ବିଭାଗ ଅଧୀକ୍ଷକ କ୍ରାଇମବ୍ରାଞ୍ଚ ଦେଇଛି । ଡାକ ବିଭାଗରେ ଆବେଦନ କରି ମେରିଟ୍ ଲିଷ୍ଟକୁ ଆସିଥିବା ୩୮ ଜଣଙ୍କ ମଧ୍ୟରୁ ୧୭ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ରାଜସାକ୍ଷୀ ହୋଇଛନ୍ତି । ଆଉ ୧୯ ଜଣ ଏବେ ବି ଫେରାର ଅଛନ୍ତି ।

କ୍ରାଇମବ୍ରାଞ୍ଚର ମୋଟ ୧୦ ଜଣିଆ ଟିମ୍‌ ଏବେ ଭାଗ ଭାଗ ହୋଇ ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି । ଟାଉନା ଥାନାରେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ମମତାରାଣୀ ପଣ୍ଡା ତନାଘନା କରୁଛନ୍ତି । ଆଉ ଏକ ଟିମ ଦୁଇଦିନ ହେଲା ଚାରିଜଣ ଅଭିଯୁକ୍ତଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛି । ଅନେକ ତଥ୍ୟ ମଧ୍ୟ ହାସଲ କରିଛି। ତେଣୁ ଏବେ ଅଭିଯୁକ୍ତମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଜଣ ଜଣ କରି ସମସ୍ତଙ୍କୁ ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି ।