ବକୁଳବନର ଗୁରୁ ପରମ୍ପରାକୁ ମିଳିଲା ସବୁଠୁ ବଡ ସମ୍ମାନ ! ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା ପରେ ମନେ ପଡ଼ିଲେ ପଂଚସଖା ।

56
କନକ ବ୍ୟୁରୋ : ଓଡିଆ ଜାତି ଯେତେବେଳେ ନିଜ ସ୍ଥିତି ନେଇ ସଂଘର୍ଷ କରୁଥିଲା, ସେହି ସମୟରେ ସତ୍ୟବାଦୀରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରି ନୂଆ ଦିଗ ଦେଖାଇଥିଲେ ପଂଚସଖା । ଆଜି ସେହିଠାରେ ଓଡିଆ ଭାଷାର ଅଧିକ ଶିକ୍ଷା ଓ ଗବେଷଣା ପାଇଁ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ ।
ପୁଣି ଚର୍ଚ୍ଚାରେ ସତ୍ୟବାଦୀର ବକୁଳ ବନ । ପୁଣି ମନେ ପଡିଛନ୍ତି ପଂଚସଖା । କାରଣ ରାଜ୍ୟ ସରକାର ଏହି ଠାରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ଓଡିଆ ବିଶ୍ୱବିଦ୍ୟାଳୟ । ଏହି ଘୋଷଣା ହେବା ପରେ ସତ୍ୟବାଦୀ ଅଂଚଳରେ ଖୁସିର ଲହରି ଖେଳିଯାଇଛି ।
ସତ୍ୟବାଦୀର ବକୁଳ ବନ । ଏଠାରେ ପ୍ରତିଷ୍ଠା ହୋଇଥିବା ବନ ବିଦ୍ୟାଳୟ ଥିଲା ଓଡିଆ ଭାଷା ଓ ଅସ୍ମିତା ସୁରକ୍ଷାର ପ୍ରାଣ କେନ୍ଦ୍ର । ଇଂରେଜ ଶାସନ କାଳରେ ୧୯୦୯ ମସିହାରେ ଗୁରୁକୁଳର ଆଦର୍ଶରେ ଏହି ଶିକ୍ଷାନୁଷ୍ଠାନ ଗଢିଥିଲେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କର ଏହି ଆନ୍ଦୋଳନରେ ଯୋଡି ହୋଇଥିଲେ ଅନ୍ୟ ୪ ଜଣ ସହଯୋଗୀ – ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ମିଶ୍ର ଓ ଗୋଦାବରୀଶ ମିଶ୍ର । ଏହି ପାଂଚଜଣଙ୍କ ପ୍ରଚେଷ୍ଟାରେ ଚାଲିଥିଲା ଏହି ଆଦର୍ଶ ଶିକ୍ଷାନୁଷ୍ଠାନ । ଓଡିଶାରେ ଭାଷା, ସାହିତ୍ୟ ଓ ଶିକ୍ଷାକୁ ନେଇ ସୃଷ୍ଟି ହୋଇଥିବା ସନ୍ଧିକ୍ଷଣରେ ଏହି ପଂଚସଖାଙ୍କ ଉଦ୍ୟମରେ ତିଆରି ହୋଇଥିଲା ନୂଆ ସମ୍ଭାବନା । ଏପରିକି ବକୁଳ ବନ ବିଦ୍ୟାଳୟକୁ ସେତେବେଳେ କୁହାଯାଉଥିଲା ମଣିଷ ତିଆରି କାରଖାନା ।
 ଆଜି ସତ୍ୟବାଦୀର ସେହି ଐତିହାସିକ ସ୍ଥାନରେ ଓଡିଆ ବିଶ୍ୱବିଦ୍ୟାଳୟ ତିଆରି କରିବା ନିଷ୍ପତି ଭାଷା ଓ ସାହିତ୍ୟ ତଥା ପଂଚସଖାଙ୍କ ପ୍ରତି ସମ୍ମାନ ବୋଲି କୁହାଯାଉଛି । ସେପଟେ ଐତିହ୍ୟ କ୍ୟାବିନେଟରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । କିନ୍ତୁ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ରାଜ୍ୟ ସରକାର ସହଯୋଗର ହାତ ବଢାଇଥିଲେ, ଭଲ ହୋଇଥାନ୍ତା ବୋଲି ସେ ମତ ରଖିଛନ୍ତି ।