ବିଜେଡିର ଶତ୍ରୁ ବୈଜୟନ୍ତଙ୍କ ବନ୍ଧୁ ! ଦିଲ୍ଲୀ ଓଡିଶା ପର୍ବରେ ଧର୍ମେନ୍ଦ୍ରଙ୍କ ଅତିଥି ହେଲେ କେନ୍ଦ୍ରାପଡା ସାଂସଦ

29

କନକ ବ୍ୟୁରୋ : ସାଂସଦ ଭର୍ତୃହରି ମହତାବ ଓ ବୈଜୟନ୍ତ ପଣ୍ଡାଙ୍କ ଲେଖା ପରେ ବିଜେଡିରେ ଅର୍ନ୍ତଦ୍ୱନ୍ଦ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉ ଏକ ଘଟଣା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି । ଗତକାଲି ଦିଲ୍ଲୀରେ ଅନୁଷ୍ଠିତ ଓଡିଶା ପର୍ବରେ ଏକାଠି ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଜଣେ ଓଡିଶାରେ ରାଜ୍ୟ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ, ଯିଏ ରାଜ୍ୟରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଦଳକୁ ସଂଗଠିତ କରୁଛନ୍ତି । ଅନ୍ୟଜଣେ ପଂଚାୟତ ନିର୍ବାଚନରେ ପ୍ରଦର୍ଶନକୁ ନେଇ ବିଜେଡି ଆତ୍ମସମୀକ୍ଷା କରିବା ଦରକାର ବୋଲି ଟିପ୍ପଣୀ କରି, ଖୋଦ ନିଜ ଦଳରେ ବିବାଦୀୟ ହୋଇପଡିଛନ୍ତି ।

ଦୁଇ ପ୍ରତିଦ୍ୱନ୍ଦୀ ରାଜନୈତିକ ନେତା ଏକାଠି ହେବା ଏବଂ ଆଲୋଚନା କରିବା ଅସ୍ୱାଭାବିକ କଥା ନୁହେଁ । କିନ୍ତୁ ଯେତେବେଳେ ବିଜେଡିର କିଛି ବରିଷ୍ଠ ସାଂସଦ ବିଜେପି ଆଡକୁ ଢଳୁଛନ୍ତି ବୋଲି ଚର୍ଚା ହେଉଛି , ଠିକ୍ ସେହି ସମୟରେ ଏହି ସାକ୍ଷାତ ଆଲୋଚନାକୁ ନେଇ ପ୍ରଶ୍ନ ଉଠୁଛି । ଏହି ଓଡିଶା ପର୍ବରେ ବୈଜୟନ୍ତ, ଧର୍ମେନ୍ଦ୍ରଙ୍କୁ ବେଶ୍ ପ୍ରଶଂସା କରିବାକୁ ବି ପଛାଇନାହାଁନ୍ତି ।

ସୁଦୂର ଦିଲ୍ଲୀରେ ଓଡିଶାର କଳା, ସଂସ୍କୃତିର ପ୍ରଦର୍ଶନ ପାଇଁ ଓଡିଶା ପର୍ବର ଆୟୋଜନ କରିଥିବାରୁ ଆୟୋଜକ ଓ ପ୍ରୋତ୍ସାହନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ।

ଅନେକ ସମୟରେ ନିଜ ଲେଖାରେ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ବୈଜୟନ୍ତ ବିଜେଡିର ଦୋଷ ଦୁର୍ବଳତା ବଖାଣି ଏକ ଆର୍ଟିକିଲ ପ୍ରକାଶ କରିଥିଲେ । ବିଜେଡି ପାଇଁ ଆତ୍ମ ସମୀକ୍ଷାର ବେଳେ ଆସିଛି ଓ ଏହାକୁ ଅଣଦେଖା କଲେ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ ବୋଲି ଖବରକାଗଜରେ ଲେଖିଥିଲେ ବୈଜୟନ୍ତ ।

ଠିକ ସେହିପରି ଦଳର ଆଉଜଣେ ବରିଷ୍ଠି ସାଂସଦ ଭର୍ତୃହରି ମହତାବ ତାଙ୍କ ଲେଖା ମାଧ୍ୟମରେ ବିଜେପିର ବଢୁଥିବା ପତିଆରା ଓ ବିଜେଡି ସୁପ୍ରିମୋଙ୍କ ପଂଚାୟତ ନିର୍ବାଚନ ପରବର୍ତୀ ସମୀକ୍ଷା ପ୍ରସଙ୍ଗରେ ନକାରାତ୍ମକ ଟିପ୍ପଣୀ କରିଥିଲେ ।

ବିଜୁ ଜନତା ଦଳର ଏହି ପ୍ରମୁଖ ସାଂସଦମାନେ ଗୋଟିଏ ପଟେ ବିଜେଡିରେ ସବୁକିଛି ଠିକଠାକ ନାହିଁ ବୋଲି ସଂକେତ ଦେଇ, ଅନ୍ୟପଟେ ବିଜେପି ନେତାଙ୍କ ସହ ଏକାଠି ହେବା କଣ ଇସାରା କରୁଛି ? ବିଜେଡି ନେତାମାନେ ମୋଦିଙ୍କ ନେତୃତ୍ୱ ବା ବିଜେପି ଆଡକୁ ଢଳୁଛନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି ସେଭଳି ସମ୍ଭାବନାକୁ ଏହି ଘଟଣା ଅଧିକ ଖୋରାକ ଯୋଗାଉଛି କି ?