କରାଟେ ମାଷ୍ଟରଙ୍କୁ ମାରିଲା କିଏ? ବୈଜୟନ୍ତଙ୍କ ମୃତ୍ୟକୁ ନେଇ ବଢ଼ୁଛି ସସପେନ୍ସ, ପରଦା ପଛରେ ଅଛି କି ଆଉ କିଏ ?

23

କନକ ବ୍ୟୁରୋ : ଭୁବନେଶ୍ୱର ବୁଦ୍ଧନଗରରେ ମେରାଇନ୍ ଇଞ୍ଜିନିୟରଙ୍କ ହତ୍ୟାକୁ ନେଇ ବଢ଼ୁଛି ରହସ୍ୟ । ମାର୍ଶାଲ ଆର୍ଟରେ ଜଣେ ବ୍ଲାକବେଲ୍ଟ ମାଷ୍ଟର ବୈଜୟନ୍ତଙ୍କୁ କେମିତି ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ହତ୍ୟା କଲେ ତା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ହତ୍ୟା ପଛରେ ଆଉ କୋ÷ଣସି ତୃତୀୟ ପକ୍ଷଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାର ଖୋଳତାଡ କରୁଛି ପୋଲିସ୍ ।

ବୈଜୟନ୍ତମହାନ୍ତି ହତ୍ୟାକାଣ୍ଡ ତଦନ୍ତ ଯେତିକି ଆଗଉଛି ରହସ୍ୟ ସେତିକି ବଢୁଛି । ମେରାଇନ୍ ଇଂଜିନିୟର ବୈଜୟନ୍ତ ମହାନ୍ତିଙ୍କ ହତ୍ୟାକାଣ୍ଡ ପଛରେ କେବଳ ତାଙ୍କ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁ ଦାୟୀ ନା ଏହା ପଛରେ ରହିଛି ଆଉ କାହାର ହାତ । ବୈଜୟନ୍ତ ବାପା କହିଛନ୍ତି, ତାଙ୍କ ପୁଅ ଥିଲେ ମାର୍ଶାଲ ଆର୍ଟରେ ବ୍ଲାକବେଲ୍ଟ । ମାର୍ଶାଲ ଆର୍ଟରେ ବ୍ଲାକବେଲ୍ଟ ପାଇଥିବା ବୈଜୟନ୍ତଙ୍କୁ ହତ୍ୟା କରିବା ଏତେ ସହଜ ନୁହେଁ । ଯେଉଁ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ନିଜକୁ ହତ୍ୟାକାରୀ ବୋଲି ସ୍ୱୀକାର କରିଛନ୍ତି, କେବଳ ସେହି ଦୁଇ ଜଣ ବୈଜୟନ୍ତଙ୍କୁ ହତ୍ୟା କରିବା ସମ୍ଭବ ନୁହେଁ? ମୃତ ବୈଜୟନ୍ତଙ୍କ ବାପାଙ୍କ ଏଭଳି ସନ୍ଦେହ ପୁରା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି । ସେ କହିଛନ୍ତି, ଏହି ହତ୍ୟାକାଣ୍ଡ ପଛରେ ଏହି ୨ ଜଣଙ୍କୁ ଛାଡିଲେ ଅନ୍ୟ କିଛି ଅପରାଧୀଙ୍କ ହାତ ରହିଛି । ଯେଉଁଥିପାଇଁ ହତ୍ୟାକାଣ୍ଡର ସବୁ ପ୍ରମାଣ ନଷ୍ଟ କରି, ପ୍ରାୟ ୮ ଘଂଟା ପରେ ଅଭିଯୁକ୍ତ ମାନେ ଥାନାରେ ଆତ୍ମସମର୍ପଣ କରିଲେ ।

ଏହି ହତ୍ୟାକାଣ୍ଡରେ ୨ଜଣଙ୍କ ସଂପୃକ୍ତିକୁ ମଧ୍ୟ ପୁଲିସ ସହଜରେ ଗ୍ରହଣ କରିପାରୁନି । ମର୍ଡର ସ୍ପଟରୁ ଜବତ ହୋଇଥିବା ୩ଟି ଯାକ ମୋବାଇଲ ଫୋନର ଯାଞ୍ଚ ଚାଲିଛି । ହତ୍ୟାକାଣ୍ଡ ପୁର୍ବରୁ ଏବଂ ପରେ ଏହି ୨ ଜଣ କାହା କାହା ସହ ଯୋଗାଯୋଗ କରିଥିଲେ? କେଉଁ କେଉଁ ଲୋକସନକୁ ଯାଇଥିଲେ? ଏପରିକି ଏହା ପ୍ରି ପ୍ଲାନ୍ ମର୍ଡର ଥିଲା କି? ଏହି ସବୁ ଦିଗକୁ ନେଇ ଛାନଭିନ୍ ଚାଲିଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ଏବଂ ସାଇଣ୍ଟିଫିକ ଟିମ୍ ରିପୋର୍ଟକୁ ଅପେକ୍ଷା କରିଛି କମିସନରେଟ୍ ପୋଲିସ ।

ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି – ଜଣେ ବ୍ଲାକବେଲ୍ଟ ଚାମ୍ପିଅନଙ୍କୁ କେମିତି ହତ୍ୟା କରିପାରିଲେ ଅପରାଧ ଦୁନିଆ ସହ ସଂପୃକ୍ତ ନଥିବା ଦୁଇ ଜଣ? ହତ୍ୟାକାଣ୍ଡ ପଛରେ ରହିଛି କି ପେଶାଦାର କ୍ରିମିନାଲଙ୍କ ହାତ? ସୁପାରିକିଲରକୁ ଦିଆଯାଇଥିଲା କି ସୁପାରି? ବୈଜୟନ୍ତଙ୍କୁ ନିଶା ଦେଇ ହତ୍ୟା କରାଯାଇନି ତ?