କନକ ବ୍ୟୁରୋ :  ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ଭିତରେ ‘ପରମାଣୁ’ ଆକ୍ରମଣ ସମଗ୍ର ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ପୁଟିନଙ୍କ ଦ୍ୱାରା ବାରମ୍ବାର ପରମାଣୁ ଧମକ ଓ ୟୁକ୍ରେନ୍ ଉପରେ ମିଜାଇଲ ଆକ୍ରମଣକୁ ଗୁରୁତ୍ୱର ସହ ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବେ ବଡ଼ ବୟାନ ଦେଇଛନ୍ତି । ରୁଷକୁ ଚେତାବନୀ ଦେଇ ବାଇଡେନ୍ କହିଛନ୍ତି ଯେ ଯଦି ପୁଟିନ ପରମାଣୁ ଆକ୍ରମଣ କରିବେ, ତେବେ ପେଂଟାଗନ ଏହାର ଜବାବ ଦେବ । ପରମାଣୁ ଆକ୍ରମଣ ବିରୋଧରେ ଆମେରିକା ସ୍ୱତନ୍ତ୍ର ଗେମ୍ ପ୍ଲାନ୍ କରିଥିବା ମଧ୍ୟ କହିଛନ୍ତି ବାଇଡେନ୍ । ତେବେ ରାଷ୍ଟ୍ରପତି ବାଇଡେନ୍ ତାଙ୍କର ଗେମ୍ ପ୍ଲାନ୍ ବିଷୟରେ କିଛି ବି କହିବାକୁ ସିଧା ସିଧା ମନା କରିଦେଇଛନ୍ତି ।
କ’ଣ କହିଲେ ବାଇଡେନ୍?
-    ‘ପରମାଣୁ’ ଧମକ ଦେବା ପୁଟିନଙ୍କ ଦାୟିତ୍ୱହୀନ ମନ୍ତବ୍ୟ
-    ପରମାଣୁ ଆକ୍ରମଣର ପର ସ୍ଥିତି କ’ଣ ହେବ, ତାହା କେହି କହିପାରିବେ ନାହିଁ
-    ପରମାଣୁ ଧମକ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିବ
-    ମହାବିନାଶ ଆଡ଼କୁ ଅଗ୍ରସର ହେବ ବିଶ୍ୱ
-    ପୁଟିନଙ୍କ ‘ପରମାଣୁ’ ଧମକକୁ ଦିଆଯିବ ଜବାବ
-    ପ୍ରସ୍ତୁତି ହୋଇସାରିଛି ସ୍ୱତନ୍ତ୍ର ଯୋଜନା
-    କଥାରେ ନୁହେଁ, କାମରେ କରି ଦେଖାଇବୁ

Advertisment

ସେପଟେ ରୁଷ ପକ୍ଷରୁ ୟୁକ୍ରେନର ସହରଗୁଡିକୁ ଟାର୍ଗେଟ କରି ମିଶାଇଲ ମାଡ କରାଯାଉଥିବାରୁ ନାଟୋ ଦେଶଗୁଡିକ ଠାରୁ ୟୁକ୍ରେନ ଅଧିକ ମାତ୍ରାରେ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ନିବେଦନ କରିଛି । ଜି-୭ ଦେଶଗୁଡିକ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି ବୈଠକ କରିଛନ୍ତିି । ଜି-୭ ଦେଶଗୁଡିକ କିଭଙ୍କୁ ଅଧିକ ସାମରିକ ସହାୟତା କରିବାକୁ ନିଷ୍ପତି ନେବା ସହ ମସ୍କୋର ପରମାଣୁ ଆକ୍ରମଣ ନେଇ ସତର୍କ କରାଇଛନ୍ତି । ଏହାର ଭିତରେ ଜର୍ମାନ ପଠାଇଥିବା ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନରେ ପହଂଚିସାରିଛି । ଯାହା ଋଷର ଆକ୍ରମଣରୁ ୟୁକ୍ରେନ ସହରଗୁଡିକ ସୁରକ୍ଷା ପ୍ରଦାନ କରିବ ବୋଲି କୁହାଯାଇଛି ।

ଆସନ୍ତାମାସରେ ଇଣ୍ଡୋନେସିଆରେ ଜି-୨୦ ସମ୍ମିଳନୀରେ ପୁଟିନ ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ । ଜି-୨୦ ବୈଠକରେ ଭାରତ ସମେତ, ଆମେରିକା, ରୁଷ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଜାପାନ, କୋରିଆ ରିପବ୍ଲିକ ଓ ୟୁରୋପିଆନ୍ ସଂଘ ସମେତ ୨୦ ଦେଶ ଭାଗ ନେବେ ।