ବାହୁଡା ପାଇଁ ପ୍ରସ୍ତୁତି : ଆସନ୍ତାକାଲି ଠାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ; ସିଲ୍ ହେବ ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ, ଘର ଉପରେ ଉଡିବ ଡ୍ରୋନ୍

497

କନକ ବ୍ୟୁରୋ : ବାହୁଡା ପାଇଁ ପୁରୀରେ ଜୋର ଧରିଲା ପ୍ରସ୍ତୁତି । ଆସନ୍ତାକାଲିଠାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହେବ । ସିଲ୍ ହେବ ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ । ପୁରୀ ବଡଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକ ଉପରେ ଡ୍ରୋନ୍ ଜରିଆରେ ନଜର ରଖାଯିବ । ସେହିପରି ବଡଦାଣ୍ଡକୁ ଲାଗି ରହିଥିବା ଘର ଗୁଡିକର ପରବାର ଲୋକଙ୍କ ପ୍ରସ୍ତୁତ ହେଉଛି ତାଲିକା । ପରିବାର ସଦସ୍ୟ ବାଦ୍ ଅନ୍ୟ କୌଣସି ଲୋକଙ୍କ ଉପସ୍ଥିତି ନଜର ଆସିଲେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ପ୍ରଶାସନ ସ୍ପଷ୍ଟ କରିଛି ।

ପୁରୀରେ ବଡଦାଣ୍ଡ ହୋଟେଲ, ଲଜ୍, ଧର୍ମଶାଳା ଆଜିଠୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ରଥଯାତ୍ରା ସମୟରେ ବିଶୃଙ୍ଖଳା ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ବାହୁଡା ଆଗରୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛି ପୁରୀ ପ୍ରଶାସନ । ବଡଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକରୁ ବାହାରି ଯେପରି କେହି ରଥଯାତ୍ରା ଦର୍ଶନ କରିପାରିବେ ନାହିଁ, ସେଥିପ୍ରତି କଡା ନଜର ଦିଆଯାଇଛି । ଏହି ଘର ଗୁଡିକ ଉପରେ ନଜର ରଖିବାକୁ ପୁରୀ ପୋଲିସ ଡ୍ରୋନ୍ ଉଡାଇବାକୁ ନିଷ୍ପତ୍ତି ନେଇଛି ।

ବାହୁଡା ଯାତ୍ରା ସମୟରେ କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଲେ ଅନ୍ୟ କୌଣସି ଗାଡିମୋଟର ଚଳାଚଳ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ଔଷଧ ଦୋକାନ ସହ ଅନ୍ୟାନ୍ୟ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଜୁଲାଇ ୧୯ ତାରି ରାତି ୮ଟାରୁ ଜୁଲାଇ ୨୧ ତାରିଖ ରାତି ୮ଟା ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ବି କର୍ଫ୍ୟୁ ୪୮ ଘଂଟା ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ କରାଯିବ ।