ଆଉ ମଂଚକୁ ଆସିବେନି ମାନୀ ! ବିଦ୍ୟୁତ ଆଘାତରେ ବାଘାଯତୀନ ଯାତ୍ରା ପାର୍ଟି ଅଭିନେତ୍ରୀଙ୍କ ମୃତ୍ୟୁ

67

କନକ ବ୍ୟୁରୋ : ବିଦ୍ୟୁତ ଆଘାତରେ ଯାତ୍ରା କଳାକାରଙ୍କ ମୃତ୍ୟୁ । ବାଘାଯତୀନ ଗଣନାଟ୍ୟର ଜଣେ ପ୍ରମୁଖ ଅଭିନେତ୍ରୀ, ସସ୍ମିତା ଖଟୁଆ ଓରଫ ମାନୀଙ୍କର ଗତ ରାତିରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଡୁବୁରୀଠାରେ ବାଘାଯତୀନ ଗଣନାଟ୍ୟ ଯାତ୍ରା ପରିବେଷଣ କରିବା ଲାଗି ପହଂଚିଥିବାବେଳେ ଗତକାଲି ରାତିରେ ମଂଚସ୍ଥ ହୋଇଥାନ୍ତା ନାଟକ- କାହାଣୀ କାନ୍ଦୁଛି ଆଖି ଲୁଚାଇ । ଏହି ନାଟକରେ ଲିଡ ରୋଲରେ ନଜର ଆସିଥାନ୍ତେ ।

ତେବେ ଯାତ୍ରା କଳାକାର ମାନଙ୍କୁ ଏଠାରେ କେତେକ ଅସ୍ଥାୟୀ ଭଡାଘରେ ରଖାଯାଇଥିବାବେଳେ, ମାନୀ ରହୁଥିଲେ ସ୍ଥାନୀୟ ଅଂଚଳର ଗଣେଷ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ । ହେଲେ ଏହି ଭଡାଘର ଲୁହା କବାଟ ବିଦ୍ୟୁତ ସଂସ୍ପର୍ଷରେ ଆସି ଚାର୍ଜ ହୋଇ ରହିଥିବାବେଳେ ଏହାକୁ ଛୁଇଁବା ମାତ୍ରେ ଲାଖି ରହିଥିଲେ ମାନୀ । ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କଳିଙ୍ଗନଗର ପୋଲସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମାନୀଙ୍କ ବିଷୟରେ ଦୁଇ ପଦ –

ସସ୍ମିତା ଖଟୁଆ ଓରଫ ମାନୀ । ଯାତ୍ରା ଜଗତରେ ସେ ମିନାକ୍ଷୀ ନାଁରେ ବେଶ ପରିଚିତ । ବାଘାଯତୀନ ଯାତ୍ରା ପାର୍ଟିରେ ସେ ଅନେକ ନାଟକରେ ଅଭିନୟ କରିଛନ୍ତି । ତେବେ ପାର୍ଶ୍ୱ ଅଭିନେତ୍ରୀ ଭାବେ ନଜର ଆସୁଥିବା ମିନାକ୍ଷୀ ଓରଫ ମାନୀ ଗତକାଲି ଡୁବୁରୀରେ ମଂଚସ୍ଥ ହେବାକୁ ଥିବା ନାଟକ ‘କାହାଣୀ କାନ୍ଦୁଛି ଆଖି ଲୁଚାଇ’ ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିଥାନ୍ତେ । ତାଙ୍କ ସ୍ୱାମୀ ବିଶ୍ୱଜିତ ଖଟୁଆ ସେହି ବାଘାଯତୀନ ଯାତ୍ରାପାର୍ଟିର ଅପେରା ପରିଚାଳନା ସଦସ୍ୟ ଭାବେ କାମ କରୁଛନ୍ତି । ହେଲେ ମାନୀଙ୍କ ଦୁଃଖଦ ମୃତ୍ୟୁ ପରେ ନାଟକ ବନ୍ଦ ରହିଥିବା ଜଣାପଡିଛି । ଜଣେ ଭଲ କଳାକାରଙ୍କ ଏଭଳି ଆକସ୍ମିକ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇପଡିଛି ଯାତ୍ରା ଜଗତ ।