କନକ ବ୍ୟୁରୋ: ସାରାଦେଶରେ ମନକୁ ପଢ଼ି ଭବିଷ୍ୟତ କହୁଥିବା ବାବା ବାଗେଶ୍ୱରଙ୍କ କଥା ଆପଣ ଶୁଣିଥିବେ । ପ୍ରତିିଦିନ ନିଜ ନିଜର ସମସ୍ୟାର ସମାଧାନ ପାଇଁ ବାବା ବାଗେଶ୍ୱରଙ୍କ ପୀଠକୁ ଆସିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଆଉ ବାବା ବାଗେଶ୍ୱର ଶ୍ରଦ୍ଧାଳୁଙ୍କ କିଛି ନପଚାରି ତାଙ୍କ ମନର କଥା ପର୍ଚି ମାଧ୍ୟମରେ ଲେଖି ଜଣାଇଥାନ୍ତି । କୁହାଯାଏ ବାବା ବାଗେଶ୍ୱର ଲୋକଙ୍କ ମନକୁ ପଢ଼ି ପାରନ୍ତି । ତାଙ୍କର ଏହି ପ୍ରତିଭା ପଛରେ ଭଗବାନଙ୍କ ଆର୍ଶୀବାଦ ଥିବା କୁହାଯାଏ । କିନ୍ତୁ ଆପଣ ହୁଏତ ଜାଣି ନଥିବେ ପ୍ରାୟ ୩୦ବର୍ଷ ତଳେ ଏମିତି ପୋଥି ଦେଖି, ଭବିଷ୍ୟତ କହୁଥିଲେ ପୁରୀ କାକଟପୁର ଅଂଚଳର ଜଣେ ସାଧୁ । ତାଙ୍କୁ ସମସ୍ତେ ବାବା ଅମରେଶ୍ୱର ବୋଲି ଜାଣନ୍ତି । ସେ ଏବେ ବୟାସାଧିକ୍ୟ କାରଣରୁ ପୂର୍ବଭଳି ସକ୍ରିୟ ନାହାନ୍ତି । ହେଲେ, ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି ବହୁ ବର୍ଷ ତଳେ ବାବା ବାଗେଶ୍ୱରଙ୍କ ଜେଜେ ଓ ବାପା, ତାଙ୍କ ନିକଟକୁ ଆସିଥିଲେ । ତାଙ୍କ ଘରେଥିବା ପୂରାତନ ପୋଥି ବିଷୟରେ କହିଥିଲେ । ସେହି ପୋଥି ଯୋଗୁଁ ତାଙ୍କ ପରିବାରରେ କିଛି ସମସ୍ୟା ହେଉଥିବା ଆଶଙ୍କା କରିଥିଲେ । ଏବଂ ପୋଥିକୁ କାହାକୁ ଦେଇ ଦେବାକୁ କହିଥିଲେ । କିନ୍ତୁ ବାବା ଅମରେଶ୍ୱର ସେମାନଙ୍କୁ ବାରଣ କରିଥିଲେ । ପୋଥିକୁ କାହାକୁ ନଦେବା ପାଇଁ ପରାମର୍ଶ ଦେଇଥିଲେ । କହିଥିଲେ, ଏହି ପୋଥୀ ଆଗକୁ ଉପଯୁକ୍ତ ଉତରଦାୟାଦ ଆସିଲେ ତାଙ୍କ ପରିବାର ପାଇଁ ଉପଯୋଗୀ ହେବ ।