ଗିରଫ ହେବେ କି ମନ୍ତ୍ରୀଙ୍କ ପୁଅ : ଆକ୍ରମଣ ମାମଲାରେ ୨ ଗିରଫ, ଏଫଆଇଆରରେ ରହିଛି ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ନାଁ

ଲୁହା ଛଡ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ କଲେ ପ୍ରତ୍ୟକ୍ଷଦର୍ଶୀ

139

କନକ ବ୍ୟୁରୋ : ବଢିଲା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଅଡୁଆ । ଅପରାଧିକ ମାମଲାରେ ଛନ୍ଦି ହୋଇ ଗୋଟିଏ ପୁଅ ଜେଲରେ ଥିବାବେଳେ ଆଉ ଜଣେ ପୁଅ ଯୁବକଙ୍କୁ ଗୋଡାଇ ହାଣିଥିବା ଅଭିଯୋଗରେ ଥାନାରେ ମାମଲା ହୋଇଛି । ଏହି ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଏହି ସଂଘବଦ୍ଧ ଆକ୍ରମଣ ମାମଲାରେ ୧୦ରୁ ୧୫ ଜଣ ସମ୍ପୃକ୍ତ ଥିବାବେଳେ ଏବେ ବି ସେମାନେ ଫେରାର ଅଛନ୍ତି । ପୋଲିସ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏଫଆଇଆର କପି ମୁତାବକ, ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ବୁଟୁଲୁ ପାତ୍ର, ୧୦ରୁ ୧୫ଜଣ ଯୁବକଙ୍କ ସହ ମିଶି ସଂଘବଦ୍ଧ ଭାବେ ପ୍ରଶାନ୍ତ ସାହୁ, ସୁମିତ୍ରା ଜେନାଙ୍କୁ ଆକ୍ରମଣ କରିଥିଲେ । ନଭେମ୍ବର ୭ ତାରିଖ ଦିନ ୧୨ଟା ସମୟରେ ସୁମିତ୍ରା ଜେନା, ତାଙ୍କ ଦିଅର ଏବଂ ପ୍ରଶାନ୍ତ ସାହୁ ବେଲବାହାଳିରୁ ଘଷିପୁରା ଯାଉଥିଲେ । ଠିକ ଏହି ସମୟରେ ହାତୀବନ୍ଧା ନିକଟରେ ତାଙ୍କ ଉପରେ ହୋଇଥିଲା ସଙ୍ଘବଦ୍ଧ ଆକ୍ରମଣ । ମନ୍ତ୍ରୀଙ୍କ ପୁଅ ବୁଟୁଲୁ ପାତ୍ର, ମହରଗ ଜେନା, ମହିଆ ଜେନା, କାଳିଆ ଜେନା ଏବଂ ୧୦ରୁ ୧୨ଜଣ ସହଯୋଗୀ ଖଣ୍ଡା, ଭୁଜାଲି ଓ ରଡରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିଲେ ପ୍ରଶାନ୍ତ । ସୁମିତ୍ରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ମନ୍ତବ୍ୟ ଦେଇଥିବା ମଧ୍ୟ ଏଫଆଇଆରରେ ଉଲ୍ଲେଖ ରହିଛି । ଗୁରୁତର ଆହତ ପ୍ରଶାନ୍ତ ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶୁଣନ୍ତୁ ପୁରା ଘଟଣା ସମ୍ପର୍କରେ କଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଆଇପିସିର ଧାରା ୩୪୧, ୩୨୩, ୩୨୫,୩୨୬,୨୯୪,୩୦୭,୩୪,ଏସଟିଏସସି ଆକ୍ଟ ୩(୧)(ଆର)(ଏସ)ରେ ମାମଲା ରୁଜୁ କରିଛି ପୋଲିସ । ଏହି ମାମଲାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ବୁଟୁଲୁ ପାତ୍ରଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ଯଦି ଗିରଫ ନକରାଯାଏ ତେବେ ଘସିପୁରା ଥାନା ଘେରାଓ କରାଯିବ ବୋଲି କହିଛନ୍ତି ବେଲବାହାଳି ସରପଂଚ ।

ଘସିପୁରା ପୋଲିସ ଏହି ମାମଲାରେ କାଳିଆ ଜେନା ଏବଂ ମହେଶ୍ୱର ଜେନାକୁ ଗିରଫ କରିଛି । ଫେରାର ସହଯୋଗୀ ମାନଙ୍କୁ ଖୋଜୁଛି ପୋଲିସ । ପୂର୍ବରୁ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲ ଯାଇଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣଙ୍କ ପୁଅ ଦେବାଶିଷ ପାତ୍ର । ଏବେ ବୁଟୁଲୁ ପାତ୍ରଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ମନ୍ତ୍ରୀଙ୍କ ଅଡୁଆ ଆହୁରି ବଢାଇଛି ।