ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ : ଇଓଡ଼ବ୍ଲ୍ୟୁ ଓ କମିଶନରେଟ୍ ପୋଲିସରେ ରହିଛି ୪ଟି ମାମଲା

322

କନକ ବ୍ୟୁରୋ : ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ । ଠକେଇ ଅଭିଯୋଗରେ ବାନ୍ଧିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧିକ ଶାଖା । ଗତକାଲି ଓଡ଼ଗାଁରୁ ଅର୍ନ୍ଧେନ୍ଦୁ ଦାସଙ୍କୁ ଉଠାଇ ଆଣିଥିଲା ଇଓଡବ୍ଲୁ । ଇଓଡ଼ବ୍ଲ୍ୟୁ ଓ କମିଶନରେଟ୍ ପୋଲିସରେ ଅର୍ନ୍ଧେନ୍ଦୁ ଦାସଙ୍କ ନାଁ ୪ଟି ମାମଲା ରହିଛି । ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ଠକେଇ କରିଥିବା ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା ।

ଦିଲ୍ଲୀର ବ୍ୟବସାୟୀ ଗଗନଦୀପ ସିଂ ଚାୱଲା ଏନେଇ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଟିଭି ଚ୍ୟାନେଲ ଖୋଲିବାକୁ ୨୦୨୦ରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦୁତିକ ସରଂଜାମ ଯୋଗାଇଦେବା ପାଇଁ ୧ କୋଟି ୪୭ ହଜାର ୭୦ ଟଙ୍କାରେ ଚୁକ୍ତି ହୋଇଥିଲା । ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଚୁକ୍ତି ଅନୁସାରେ ଗଗନଦୀପ ସିଂ ଚାୱଲାଙ୍କ ସଂସ୍ଥା ୨୦୨୦ ଅକ୍ଟୋବରରୁ ନିର୍ଦ୍ଧାରିତ ଟଙ୍କାର ଯନ୍ତ୍ରାଂଶ ପଠାଇ ଚାଲିଥିଲା । ୬ ମାସ ମଧ୍ୟରେ ବାକିଥିବା ଟଙ୍କା ପୈଠ କରିବାକୁ ନିଷ୍ପତି ହୋଇଥିଲା । ୨୦ ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ନପାଇବାରୁ ବାଧ୍ୟ ହୋଇ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ।

ସେହିପରି କଟକ ପୁରୀଘାଟ ଥାନାରେ ୬ ଲକ୍ଷ ୫୯ ହଜାର ୮୧୫ ଟଙ୍କା ଦେଉନଥିବା ଅଭିଯୋଗରେ ଥାନାର ମାମଲା ହୋଇଥିଲା । ଘର ଭଡା ନେଇ ଚ୍ୟାନେଲ ଚଳାଉଥିବା ବେଳେ ଘର ଭଡ଼ା ବାବଦକୁ ୫ ଲକ୍ଷ ୮୫ ହଜାର ଟଙ୍କା ବାକି ରହିଥିବା ନେଇ ଆଉ ଏକ ଅଭିଯୋଗ ହୋଇଥିଲା । ସେହିପରି ଦରମା ଦେଇନଥିବା ନେଇ ଜଣେ ପୂର୍ବତନ କର୍ମଚାରୀ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ ।