ପିଲା ଚୋରି ଘଟଣା : ସ୍ପଷ୍ଟୀକରଣ ରଖିଲେ ଏସସିବିର ପ୍ରଶାସନିକ ଅଧିକାରୀ

85

କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ପିଲା ଚୋରି ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ । ପିଲା ଅଦଳବଦଳ ବାହାନା କରୁଥିବା ଦମ୍ପତି ଏସସିବି ଆସିଥିଲେ । ତାଙ୍କର ପୁତ୍ର ସନ୍ତାନ୍ତ ନେବା ବଦଳରେ ଆଉ ଜଣଙ୍କର ଶିଶୁ କନ୍ୟାକୁ ନେଇଯାଇଥିବା କହିଥିଲେ । ଅଦଳବଦଳ ନାଟକ ରଚିଥିବା ମହିଳା ଓ ତାଙ୍କ ସ୍ୱାମୀ ସତ କଥା ସ୍ୱୀକାର କରିଛନ୍ତି । ଏହା ପୂର୍ବରୁ ସେ ଲଗାତର ୮ ଦିନ ଧରି ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ଆସୁଥିଲେ ।

ହେଲେ ସେ କେବେ ଆଡମିଶନ୍ କରିନାହାନ୍ତି କି ସେଠାରେ ତାଙ୍କର ପୁତ୍ର ସନ୍ତାନ ହୋଇନାହିଁ ବୋଲି କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ । ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି । ଏଥିରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥାଇପାରେ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସସିବି କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ କରିଛନ୍ତି । କଟକ ପ୍ରତାପନଗରୀ ଅଞ୍ଚଳରେ ଏହି ଦମ୍ପତିଙ୍କୁ ଏବେ ପୋଲିସ ଅଟକ ରଖିଛି । ଘଟଣାରେ ମୋଟ୍ ତିନି ଜଣଙ୍କୁ ଅଟକ ରଖାଯାଇଛି ।

ବଡ଼ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହେବାର ମାତ୍ର ଅଧ ଘଣ୍ଟା ଭିତରେ ଜଣେ ନବଜାତ ଶିଶୁ କନ୍ୟା ହଠାତ୍ ଗାଏବ ହୋଇଯାଇଥିଲେ । ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଶିଶୁଟିକୁ ନେଇ ଯାଇଥିଲେ । ଧରାପଡ଼ିବା ପରେ ସେ ଫେରସ୍ତ କରିଛନ୍ତି । ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ ପରେ ଶିଶୁ କନ୍ୟା ଚୋରି ହୋଇଥିବା ଜଣାପଡ଼ିଥିଲା । ପୋଲିସ ତାଙ୍କୁ ଠାବ କରି ଶିଶୁ କନ୍ୟାକୁ ଉଦ୍ଧାର କରିଛି ।

ଶିଶୁ କନ୍ୟାର ଏବେ ଚିକିତ୍ସା ଚାଲିଛି ଓ ସେ ଏବେ ସୁସ୍ଥ ଅଛି । ଗତ ୨୨ ତାରିଖରେ ପୁରୀ ବାସେଳୀସାହିର ତିଳୋତମା ଯାଆଁଳା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସେହିଦିନ ଗୋଟିଏ ଶିଶୁ କନ୍ୟା ଗାଏବ୍ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ଶିଶୁ କନ୍ୟା ଚୋରି ହୋଇଥିବା ନେଇ ତିଳୋତମାଙ୍କ ସ୍ୱାମୀ ମଙ୍ଗଳାବାଗ୍ ଥାନାରେ ଏତଲା ଦେଇଥିଲେ । ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଜଣେ ବ୍ୟକ୍ତି ପିଲାଟିକୁ ନେଇଯାଇଥିବା ଜାଣିବାକୁ ପାଇଥିଲା । ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଛି ପୋଲିସ ।