ଅସମ୍ଭବ ହେଲା ଆମ୍ବୁଲାନ୍ସ ଆସିବା, ସେନା ଗାଡ଼ିରେ ଜନ୍ମ ନେଲା ଶିଶୁ । କୁପୱାଡ଼ାରେ ଯବାନଙ୍କ ମହାନତାକୁ ସୋସିଆଲ ମିଡ଼ିଆରେ ସଲାମ୍
ଯବାନ ତୁମେ ସତରେ ମଣିଷ ନା ଭଗବାନ
କନକ ବ୍ୟୁରୋ: ଆପଣଙ୍କ ସୁଖରେ ସଭିଁଏ ସାମିଲ ହେବେ କିନ୍ତୁ ଦୁଃଖରେ ବାହାନା କରି ଦୂରେଇ ଯିବେ । କିନ୍ତୁ ଯବାନ ସବୁ ସମୟର ସାଥୀ, ଦୁଃଖ ହେଉ କି ସୁଖ, ଯବାନ କେବେ ସୁରକ୍ଷା କବଚ ସାଜିଥାନ୍ତି ତ କେବେ ସେବାର ସାକ୍ଷାତ ଦେବତା । ଠିକ୍ ଏମିତି କିଛି ଯବାନଙ୍କ ମହାନତାର ଏକ କାହାଣୀ କୁପୱାଡ଼ାର କଳାରୁଷରୁ ଆସିଛି । ଯାହାକୁ ଦେଖିଲେ ଆପଣ ବି ସଲାମ୍ ନକରି ରହିପାରିବେ ନାହିଁ ।
ବରଫ ବର୍ଷା, କିଟିମିଟି ଅନ୍ଧକାର । ରାସ୍ତାରେ ଗାଡ଼ିଘୋଡ଼ା କିଛି ନାହିଁ, କାରଣ ବରଫ ବର୍ଷାରେ ସବୁ କିଛି ବନ୍ଦ ହୋଇପଡ଼ିଛି ଆଉ ବିଚ୍ ରାସ୍ତାରେ ଜଣ ଗର୍ଭବତୀ ଅସହ୍ୟ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆମ୍ଭୁଲାନ୍ସକୁ ଫୋନ୍ କଲେ ବି ବରଫ ମାଡ଼ ଆମ୍ଭୁଲାନ୍ସକୁ ବି ଆସିବାକୁ ଦେଉନାହିଁ । ଲାଗୁଛି ଦଇବ ଯେମିତି ଦୁଃଖ ଆଉ ଦୁଃଖ ହିଁ ଭାଗ୍ୟରେ ଲେଖିଛି, ହେଲେ ଠିକ୍ ଏତିକି ବେଳେ ଦେବଦୂତ ସାଜି ହଠାତ୍ ପହଁଚିଲେ ଯବାନ୍ । ଆଉ ଜିପ୍ରେ ପ୍ରସୂତୀଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ଶିଶୁକନ୍ୟା ଜନ୍ମ ନେଲା । ତେବେ ଉଭୟ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବାବେଳେ ତାଙ୍କ ପରିବାର ଯବାନଙ୍କୁ ସଲାମ କରି ଭାବବିହ୍ୱଳ ହୋଇଡ଼ିଛନ୍ତି ।
ସତରେ ଆମ ଦେଶ ଯବାନ ଏଭଳି ଯବାନଙ୍କୁ ପାଇ କେତେ ମହାନ ହୋଇଯାଇଛି । ଦେଶମାତୃକାର ସୁରକ୍ଷା ପାଇଁ ଶପଥ କରିଥିବା ଯବାନ ଦେଶବାସୀଙ୍କ ସୁଖ ଦୁଃଖରେ ବି ସାହା ହେଉଛନ୍ତି, ଯେଉଁଠି ନାଁ ଅଛି କିଛି ସ୍ୱାର୍ଥ ନା କୌଣସି ଲାଳସା । ଏମିତି କର୍ତ୍ତବ୍ୟ ପରାୟଣ ମଣିଷରୂପୀ ଦେବଦୂତଙ୍କୁ ଦେଖି ମନରେ ସବୁବେଳେ ପ୍ରଶ୍ନ ଉଠୁଛି, ଯବାନ ତୁମେ ସତରେ ମଣିଷ ନା ଭଗବାନ ।