ଆଇପିଏଲ୍ ଖେଳିବେ କି ‘ବେବି ଡିଭିଲିୟର୍ସ’? ଆରସିବି ଦଳରେ ସାମିଲ ହେବା ନେଇ ବଢୁଛି ଚର୍ଚ୍ଚା ।

328

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପ୍ଲେୟାର ଡେୱାଲ୍ଡ ବ୍ରେବିସ୍ ଧମାଲ୍ ମଚାଇବାରେ ଲାଗିଛନ୍ତି । କେହି କେହି ତାଙ୍କୁ ଏବେ ‘ବେବି ଏବି ଡିଭିଲିୟର୍ସ’ କହିବା ସହିତ ଅନ୍ୟ କେହି ‘ଏବି ୨.୦’ ବୋଲି ମଧ୍ୟ କହୁଛନ୍ତି । ଏପରି ସ୍ଥିତିରେ ଏବେ ବ୍ରେବିସ୍ ଆସନ୍ତା ଇଣ୍ଡିଆନ୍ ପ୍ରିମିୟର ଲିଗରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଅସଲ କଥା ହେଉଛି, ଦକ୍ଷିଣ ଆଫ୍ରିକାର ଏହି ଯୁବ କ୍ରିକେଟର ଏଥର ବିଶ୍ୱକପରେ ଧୂଆଁଧାର ଇଂନିସ ଖେଳିସାରିଛନ୍ତି । ଗତ କିଛି ମ୍ୟାଚରେ ସେ ୬୫,୧୦୪, ୯୬ ଓ ୯୭ ରନର ଦମଦାର ଇଂନିସ ଖେଳିବା ସହିତ ସମସ୍ତଙ୍କ ନଜରକୁ ଆସିଥିଲେ । ଆଉ ଏହାପରେ ଏବେ ସେ ବେବି ଏବିଡି ଭାବେ ପରିଚିତ ହୋଇଛନ୍ତି ।

 

View this post on Instagram

 

A post shared by Dewald Brevis (@dewald_brevis_17)

ଅନ୍ୟପଟେ ଡେୱାଲ୍ଡ ବ୍ରେବିସ୍ ଆରସିବି ଟିମର ଜଣେ ବଡ ଫ୍ୟାନ୍ । ସୋସିଆଲ୍ ମିଡିଆରେ ସେ ଆରସିବି ଜର୍ସି ପିନ୍ଧି ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଆଉ ତାଙ୍କର ଏହି ଫଟୋକୁ ଦେଖିବା ପରେ ଅନେକ ଲୋକ ସେ ଆରସିବି ଜଏନ୍ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଆଉ କିଛି ଲୋକ, ତାଙ୍କୁ କୋହଲିଙ୍କ ସହ ଆଇପିଏଲ୍ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଯାହା ପରେ ଏବେ ଆଗାମୀ ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟାରେ ତାଙ୍କର ନାଁ ସାମିଲ ହୋଇପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲର ଆଗାମୀ ସିଜିନ୍ ପାଇଁ ଆରସିବି ୩ ଜଣ ଖେଳାଳିଙ୍କୁ ରିଟେନ୍ କରିଛି । ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମହମ୍ମଦ ସିରାଜଙ୍କୁ ଦଳ ନିଲାମ ପ୍ରକ୍ରିୟାକୁ ଛାଡିନାହିଁ । ତେବେ ନିଲାମ ପ୍ରକ୍ରିୟାରେ ଦଳ କେଉଁ କେଉଁ ଖେଳାଳିଙ୍କୁ କିଣୁଛି ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ତେଣୁ ଦଳ ଏବେ ବ୍ରେବିସଙ୍କୁ ନିଲାମ ପ୍ରକ୍ରିୟାରେ କିଣୁଛି ନା ନାହିଁ ତାକୁ ନେଇ ଫ୍ୟାନ୍ସଙ୍କ ଭିତରେ ଏକ ଉତ୍ସାହ ଦେଖିବାକୁ ମିଳିଛି ।