କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଫଟାଫଟ କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ ମଧ୍ୟ କମ ସମୟ ରହିଛି । କ୍ରିକେଟପ୍ରେମୀଙ୍କର ନଜର ଅକ୍ଟୋବର ୨୩ରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା ଉପରେ ରହିଛି । ଆଉ ଏଭଳି ସ୍ଥଳେ ମିଶନ ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପହଞ୍ଚିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ମାଟିରେ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ଖେଳୁଛି ପାକିସ୍ତାନ । ଆଉ ଏହି ସିରିଜରେ ପୁଣିଥରେ ପୁରୁଣା ଫର୍ମକୁ କମବ୍ୟାକ୍ କରିଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ତ୍ରିରାଷ୍ଟ୍ରୀୟ ସିରିଜର ପ୍ରଥମ ୨ଟି ମ୍ୟାଚରେ ବିଜୟ ସହ ଟି-୨୦ ବିଶ୍ୱକପ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି ପାକିସ୍ତାନ । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇଥିବା ପାକିସ୍ତାନ, ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି । ଆଉ ପାକିସ୍ତାନର ଏହି ବିଜୟ ପଛର ନାୟକ ସାଜିଛନ୍ତି ଅଧିନାୟକ ବାବର ଆଜମ । ପାକିସ୍ତାନ କ୍ୟାପଟେନ ପୁଣିଥରେ ଫର୍ମକୁ ଫେରିବା ଏବେ ଟିମ୍ ଇଣ୍ଡିଆ ପାଇଁ ସତର୍କ ଘଣ୍ଟି ବଜାଇଛି । କାରଣ ବାବର ଫର୍ମକୁ କମବ୍ୟାକ କରିବା ଦ୍ୱାରା ପାକିସ୍ତାନର ଟପ୍ ଅର୍ଡର ଆହୁରି ଶକ୍ତିଶାଳୀ ହୋଇଛି ।

Advertisment

ଗତ ଟି-୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନର ଟପ୍ ଅର୍ଡର ବ୍ୟାଟର ମହମ୍ମଦ ରିଜୱାନ ଓ ବାବର ଆଜମ ଟିମ୍ ଇଣ୍ଡିଆ ହାତରୁ ବିଜୟ ଛଡାଇ ନେଇଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ପାକିସ୍ତାନକୁ ବିଜୟ ଭେଟି ଦେବା ସହ ଭାରତକୁ ଟି-୨୦ ବିଶ୍ୱକପ ରେସରୁ ବିଦା କରିଥିଲେ । ରିଜୱାନ ଏବେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଥିବା ବେଳେ ବାବର ପୁରୁଣା ଲୟକୁ ଫେରିଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜରେ ବାବର ଏତେଟା ସଫଳ ହୋଇନଥିଲେ ମଧ୍ୟ ତ୍ରିରାଷ୍ଟ୍ରୀୟ ସିରିଜରେ ଫର୍ମକୁ ଫେରି ପାକିସ୍ତାନକୁ ଆଶ୍ୱସ୍ତ କରିଛନ୍ତି । ତେଣୁ ପାକିସ୍ତାନକୁ ବିଶ୍ୱକପରେ ମାତ୍ ଦେବାକୁ ହେଲେ ଟିମ୍ ଇଣ୍ଡିଆକୁ ପ୍ରତିଦ୍ୱନ୍ଦ୍ୱୀ ଟିମର ଟପ୍ ଅର୍ଡର ଉପରେ ଆକ୍ରମଣ କରି ସହଳ ପ୍ୟାଭିଲିୟନ ପଠାଇବାକୁ ପଡିବ । ଆଉ ଏଥିପାଇଁ ଏସିଆ କପର ରୋହିତ ବାହିନୀ ଏସିଆ କପର ରଣନୀତି ଆପଣାଇପାରେ । ଏସିଆ କପରେ ଭାରତ ବିପକ୍ଷରେ ବାବରଙ୍କ ବ୍ୟାଟରୁ ସେଭଳି ବଡ ଇନିଂସ ଆସିନଥିଲା । ସର୍ଟ ବଲ ପକାଇ ବାବରଙ୍କୁ ଅସୁବିଧାରେ ପକାଇ ସହଳ ପ୍ୟାଭିଲିୟନ ପଠାଇଥିଲେ ଭାରତୀୟ ବୋଲର । ତେଣୁ ଏହି ଫର୍ମୁଲା ସହ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଟି-୨୦ ବିଶ୍ୱକପ୍ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଏତେ ସହଜ ହେବ ନାହିଁ । କାରଣ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢାଇଛି ଆହତ ସମସ୍ୟା । ପୂର୍ବରୁ ରବୀନ୍ଦ୍ର ଜାଡେଜା ଆହତ ହୋଇ ବିଶ୍ୱକପ ଦଳରୁ ବାଦ୍ ପଡିଥିବା ବେଳେ ଦଳର ଭରସାଯୋଗ୍ୟ ଦ୍ରୁତ ବୋଲର ବୁମରାହ ମଧ୍ୟ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଯାହା ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ଆହତ କାରଣରୁ ଅଧାରୁ ବିଦାୟ ନେଇଛନ୍ତି ଦୀପକ ଚହର । ପୂର୍ବରୁ ଘୋଷିତ ହୋଇଥିବା ଟି-୨୦ ଟିମରେ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଏ ଖେଳାଳୀ ଭାବେ ସ୍ଥାନ ଦେଇଥିଲା । କିନ୍ତୁ ଆହତ ସମସ୍ୟା ପାଇଁ ଦଳର ପ୍ରମୁଖ ଖେଳାଳୀ ବାଦ୍ ପଡିବା ଏବେ ଅଧିନାୟକ ରୋହିତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ତେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ବିଜୟ ହୋଇଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି । ତେଣୁ ଟି-୨୦ ବିଶ୍ୱକପରେ ମଧ୍ୟ ଟିମ୍ ଇଣ୍ଡିଆ ଏଭଳି ପ୍ରଦର୍ଶନ ଜାରି ରଖୁ ତାହା ଚାହୁଁଛନ୍ତି କ୍ରିକେଟପ୍ରେମୀ ।