ନିଜ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମ କୋର୍ଟ ଗଲେ ରାମଦେବ

150

କନକ ବ୍ୟୁରୋ : ଏଲୋପାଥିକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ ବିରୋଧରେ କିଛି ଦିନତଳେ ବାବାଙ୍କ ନାମରେ ବିଭିନ୍ନ ସଂଗଠନ ପକ୍ଷରୁ ସାରା ଦେଶର ବିଭିନ୍ନ ସ୍ଥାନରେ ମାମଲା ଦାଖଲ ହୋଇଥିଲା । ଏନେଇ ବାବା ରାମଦେବ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାଖଲ କରିଛନ୍ତି । ଏହି ଯାଚିକାରେ ବାବା ରାମଦେବ ଉର୍ଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି କି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇ,ମଏ) ପାଟନା ଓ ରାୟପୁର ଦ୍ୱାରା ଥାନାରେ ହୋଇଥିବା ଅଭିଯୋଗ ଉପରେ ରୋକ୍ ଲଗାଯାଉ ଓ ଏହି ମାମଲା ଗୁଡିକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଉ ।

କିଛିଦିନ ତଳେ ଛତିଶଗଡ ଓ ରାୟପୁର ଆଇଏମଏ ପକ୍ଷରୁ ବାବା ରାମଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । କରୋନା ସଂକ୍ରମିତଙ୍କ ଠାରେ ବ୍ୟବହାର ହେଉଥିବା ଏଲୋପାଥି ଔଷଧ ଉପରେ ଭୂଲ ସୂଚନା ଦେଇଥିବା ନେଇ ଆଇଏମଏ ବାବା ରାମଦେବଙ୍କ ନାମରେ ଅଭିଯୋଗ କରିଥିଲା ।

ରାୟପୁର ଏସପି ଅଜୟ ଯାଦବ କହିଛନ୍ତି କି, ବାବା ରାମଦେବଙ୍କ ବିରୋଧରେ ସେକ୍ସନ ୧୮୮,୨୬୯ ଓ ୫୦୪ ଅଧିନରେ ମାମଲା ଦାୟର କରାଯାଇଛି । ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ଭୂଲ ଖବର ପହଂଚାଇବା ଓ ଏଲୋପାଥିକୁ ଅପମାନ କରିବା ଭଳି ଅପରାଧରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏହା ପୂର୍ବରୁ ଏଲୋପାଥି ମେଡିସିନ ବିରୋଧରେ କହିବା ଓ ଡାକ୍ତରୀ ଚିକିତ୍ସାକୁ ହାସ୍ୟସ୍ପଦ କରିବା ଭଳି ଭିଡିଓ ଭାଇରାଲ କରିବା ଅଭିଯୋଗ ନେଇ ଆଇଏମଏ ପାଟନା ତରଫରୁ ଥାନାରେ ମାମଲା ଦାଖଲ କରାଯାଇଥିଲା । ରାଜଧାନୀର ପତ୍ରକାର ନଗର ଥାନରେ ବାବା ରାମଦେବଙ୍କ ବିରୋଧରେ ୩୧୭/୨୧ ସେକ୍ସନରେ ମାମଲା ରୁଜୁ ହୋଇଥିଲା ।

ଆଇଏମରର ସଦସ୍ୟ ସୁନୀଲ କୁମାର ଅଭିଯୋଗ କରିଥିଲେ କି କରୋନାର ଦ୍ୱିତୀୟ ଲହର ବେଳେ ବାବା ରାମଦବେ ଆଧୁନିକ ଚିକିତ୍ସା ପ୍ରଣାଳୀ ଓ ଏଲୋପାଥି ଡାକ୍ତରଙ୍କୁ ନେଇ ସାଧାରଣ ଲୋକଙ୍କ ମନରେ ଭ୍ରମାତ୍ମକ ଧାରଣା ସୃଷ୍ଟି କରିବା ଭଳି ଭିଡିଓ ପ୍ରସ୍ତୁତ କରି ଭାଇରାଲ କରୁଛନ୍ତି ।

କହିରଖୁ କି ବାବା ରାମଦେବଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ସାରା ଦେଶର ବିଭିନ୍ନ ସଂଗଠନ ତାଙ୍କୁ ସମାଲୋଚନା କରିଥିଲେ । ଯାହାକୁ ନେଇ ବାବା ରାମଦେବ ଗଣମାଧ୍ୟମରେ ନିଜ ଭୂଲ ସ୍ୱିକାର କରିଥିଲେ ।