ଦିଲ୍ଲୀ ରାଜପଥରେ ଲେଖାଗଲା ନୂଆ ଇତିହାସ । ପ୍ରଥମଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେଲା ଆଜାଦ ହିନ୍ଦ ଫୌଜ

ଗଣତନ୍ତ୍ର ଦିବସ ପରେଡରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ସେନା

355

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପରେଡରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ସେନା । ଦେଶ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଦିଲ୍ଲୀ ଗଣତନ୍ତ୍ର ପରେଡରେ ପ୍ରଥମ ଥର ପାଇଁ ସାମିଲ୍ ହୋଇଛି ସୁବାସ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜ୍ । ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଆଜାଦ୍ ହିନ୍ଦ୍ ଫୌଜ୍ର ୪ ଜଣ ସୈନିକ ଆଜି ପରେଡରେ ଅଂଶଗ୍ରହଣ କରିଛି । ଏହି ସମସ୍ତ ସୈନିକଙ୍କ ବୟସ ୯୫ରୁ ୧୦୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ପରେଡରେ ଆଜାଦ୍ ହିନ୍ଦ୍ ଫୌଜର ଏହି ୪ ସେନାନୀ ଏକ ଖୋଲା ଜିପରେ ସଲାମୀ ମଂଚ ଦେଇ ଅତିକ୍ରମ କରିଥିଲେ ।

ସୂଚନା ଅନୁଯାୟୀ ଏହି ୪ ସେନାନୀ ହେଲେ ଚଣ୍ଡୀଗଡ଼ର ୯୮ ବର୍ଷୀୟ ଲାଲତିରାମ୍, ଗୁରୁଗ୍ରାମର ୯୯ ବର୍ଷୀୟ ପରମାନନ୍ଦ, ୯୭ ବର୍ଷୀୟ ହୀରା ସିଂହ ଓ ୯୫ ବର୍ଷୀୟ ଭାଗମଲ୍ । ଗଣତନ୍ତ୍ର ଦିବସର ୭୦ ବର୍ଷ ପୂର୍ତି ଅବସରରେ ସେନାର ତିନି ବାହିନୀ ଯୋଗ ଦେଇଥିବା ବେଳେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଆଜାଦ୍ ହିନ୍ଦ୍ ଫୌଜ୍ ସେନାନୀଙ୍କ ଯୋଗଦାନ ଦେଶକୁ ଗୌରବାନ୍ୱିତ କରିଛି ।