ଏଣିକି ଅସ୍ତ୍ରୋପଚାର କରିବେ ଆୟୁର୍ବେଦିକ ଡାକ୍ତର । ଅସ୍ତ୍ରୋପଚାର ପାଇଁ ସ୍ନାତକୋତର ଆୟୁର୍ବେଦିକ ଛାତ୍ରଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍ । କାନ, ନାକ, ଆଖି, ଦାନ୍ତ, ଆଦି ଅସ୍ତ୍ରୋପଚାର କରିବା ପାଇଁ ଆଇନସମ୍ମତ ଅନୁମତି ।

468

କନକ ବ୍ୟୁରୋ : ଏଣିକି ଆୟୁର୍ବେଦିକ ଡାକ୍ତର କରିପାରିବେ ଅସ୍ତ୍ରୋପଚାର । ଆଖି, କାନ, ନାକ ପେଟ ଭଳି ଜଟିଳ ରୋଗ ପାଇଁ ଆବଶ୍ୟକ ହେଉଥିବା ଅସ୍ତ୍ରୋପଚାର ବି କରିପାରିବେ ଆୟୁର୍ବେଦିକ ଡାକ୍ତର । ଏନେଇ ଅନୁମତି ଦିଆଯିବା ସହ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆୟୁର୍ବେଦିକ ଡାକ୍ତରୀ ପାଠ ପଢ଼ୁଥିବା ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ଏନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବା ନେଇ ଏଥିରେ କୁହାଯାଇଛି ।

ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ମୋଦି ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଏଭଳି ଏକ ନିଷ୍ପତି ନିଆଯାଇଛି, ଯାହା ଆୟୁର୍ବେଦିକ ଡାକ୍ତର ଚିକିତ୍ସା ପରିସରକୁ ଆହୁରି ବ୍ୟାପକ କରିବ ।

ଆଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଭାରତୀୟ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଭିତରେ ଏକ ଅଦ୍ଭୁତ ସଂଯୋଗ ସ୍ଥାପନ ହେବାକୁ ଯାଉଛି । କାରଣ, ଏଣିକି ଏଲୋପେଥିକ୍ ଡାକ୍ତରଙ୍କ ଭଳି, ଆୟୁର୍ବେଦିକ ଡାକ୍ତର ମଧ୍ୟ ଅସ୍ତ୍ରୋପଚାର କରିପାରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞାପନ ଅନୁସାରେ,
– ଆୟୁର୍ବେଦିକ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ
-ସ୍ନାତକୋତ୍ତର ପାଠ୍ୟକ୍ରମରେ ଶଲ୍ୟତନ୍ତ୍ର ଓ ଶାଲକ୍ୟତନ୍ତ୍ର ଦୁଇ ପ୍ରକାର ପ୍ରଶିକ୍ଷଣ ଦିଆଯିବ
-ଶଲ୍ୟତନ୍ତ୍ରରେ ଶରୀରର ଅଂଶ କାଟିବା, ଚର୍ମ ସ୍ଥାନାନ୍ତର ଆଦିର ତାଲିମ ମିଳିବ
-ଶାଲକ୍ୟତନ୍ତ୍ରରେ ଆଖି, ନାକ, ଗଳା, ମୁଣ୍ଡ ଆଦି ଅସ୍ତ୍ରୋପଚାର ତାଲିମ ଦିଆଯିବ

ଭାରତୀୟ କେନ୍ଦ୍ରୀୟ ଭେଷଜ ପରିଷଦ ଅଧିନିୟମର ସଂଶୋଧନ ପରେ ଏଭଳି ଏକ ନିଷ୍ପତି ହେବା ସଂଭବ ହୋଇଛି । ତେବେ ଭାରତୀୟ କେନ୍ଦ୍ରୀୟ ଭେଷଜ ପରିଷଦର ଅଧ୍ୟକ୍ଷ କହିଛନ୍ତି, ଆୟୁର୍ବେଦିକ୍ ଚିକିତ୍ସାରେ ଅସ୍ତ୍ରୋପଚାର ହେଉଥିଲା, ଯାହାକୁ କେବଳ ଆଇନସମ୍ମତ କରାଗଲା । ଏପଟେ ଆୟୁର୍ବେଦିକ ଡାକ୍ତର ଏହାକୁ ସ୍ୱାଗତ କରିଥିବା ବେଳେ ଡାକ୍ତର ସଂଘ କହିଛି, ଏଥିପାଇଁ ତାଲିମ ଆବଶ୍ୟକ ।

ବଡ଼ କଥା ହେଉଛି, ଆଜି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀ ଦେଇ ଗତି କରୁଛି ଏବଂ ଡାକ୍ତରଙ୍କ ଅଭାବକୁ ସମସ୍ତେ ଅନୁଭବ କରୁଛନ୍ତି ଠିକ୍ ଏତିକି ବେଳେ ସରକାର ନେଇଥିବା ଏହି ନିଷ୍ପତି ହୁଏତ ଆଗକୁ ଫଳପ୍ରଦ ହେବ ।