ଆଜିଠାରୁ ଖୋଲିଲା ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ । କଲେଜ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

155

କନକ ବ୍ୟୁରୋ : କରୋନା କଟକଣା ଭିତରେ ପ୍ରଥମଥର ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟସରକାର ରାଜ୍ୟରେ ଥିବା ଆୟୁର୍ବେଦିକ ଓ ହୋମିଓପାଥିକ କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି । ସମସ୍ତ କୋଭିଡ କଟକଣା ଯେମିତି କି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରି କଲେଜରେ ପାଠ ପଢା ଆରମ୍ଭ କରାଯିବ ।

ଦୀର୍ଘ ୮ ମାସ ପରେ ରାଜ୍ୟ ସରକାର ପ୍ରଥମଥର ଶିକ୍ଷାନନୁଷ୍ଠାନ ଖୋଲିବା ଉପରେ ଦୃଷ୍ଟି ଦେଇଛନ୍ତି । ରାଜ୍ୟସରକାର ଆଜି ଠାରୁ ରାଜ୍ୟରେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥି କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହି ଶିକ୍ଷାନୁଷ୍ଟାନ ଗୁଡିକ କୋଭିଡ-୧୯ ମହାମାରି ଆରମ୍ଭ ହେବା ଦିନ ଠାରୁ ବନ୍ଦ ରହିଥିଲା । ଏହି କଲେ ଗୁଡିକ ଖୋଲିବାକୁ କିଛିଦିନ ହେବ ଛାତ୍ର ଛାତ୍ରୀ କଲେଜ କର୍ତ୍ତୁପକ୍ଷଙ୍କ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା । ହେଲେ କରୋନା ସ୍ଥିତି ଦେଖି ରାଜ୍ୟସରକାର ଏହି କଲେଜ ମାନଙ୍କୁ ଖୋଲିବାକୁ ଅନୁମତି ଦେଉ ନଥିଲେ । ଏବେ ରାଜ୍ୟରେ କରୋନା ସ୍ଥିତିରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଦୈନିକ ସଂକ୍ରମଣ ସଂଖ୍ୟା ୪ ହଜାର ପାର କରିଥିବା ବେଳେ ଏବେର ସ୍ଥିତି ଦୈନିକ ୩ ଶହରୁ ୪ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧିରେ ଧିରେ ବନ୍ଦ ପଡିଥିବା ଅନେକ ଅନୁଷ୍ଠାନକୁ ଖୋଲିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ପ୍ରଥମ ଦଫାରେ ରାଜ୍ୟରେ ଥିବା ସମସ୍ତ ଆୟୁର୍ବେଦିକ ଓ ହୋମିଓପାଥି କଲେଜ ଖୋଲିବାକୁ ଅନୁମତି ଦେଇଛନ୍ତି। ସେପଟେ କରୋନା ମହାମାରୀ ରାଜ୍ୟରୁ ସମ୍ପୁର୍ଣ୍ଣ ରୂପେ ଯାଇନଥିବା ବେଳେ କଲେଜ ଖୋଲିଲେ ବି ପୂର୍ବଭଳି ସମସ୍ତ କରୋନା କଟକଣା ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।