ଅଯୋଧ୍ୟା ମାମଲାର ଗୁରୁତ୍ୱପୂର୍ଣ୍ଣ ମୋଡ ! ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର,ବିବାଦ ନଥିବା ଜମିକୁ ଫେରାଇବାକୁ ଅନୁରୋଧ

131

କନକ ବ୍ୟୁରୋ : ଅଯୋଧ୍ୟା ରାମଜନ୍ମ ଭୂମି ବିବାଦ ଆଜି ନୂଆ ମୋଡ ନେଇଛି । ଏହି ମାମାଲରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି , ବିବାଦୀୟ ଜମି ପାଶ୍ୱର୍ରେ ଥିବା ୬୭ ଏକର ଜମିକୁ ଫେରାଇବା ପାଇଁ ଅନୁମତି ଦିଆଯାଉ । ଏବଂ ବିବାଦୀୟ ଜମି ଉପରେ ସୁପ୍ରିମକୋର୍ଟ ତାଙ୍କର ଶୁଣାଣି ଜାରି ରଖନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି । ଏହି ଜମି ୨.୭୭ ଏକର ବିବାଦୀୟ ରାମଜନ୍ମଭୂମି ଓ ବାବରୀ ମସଜିଦ୍ ନିକଟରେ ରହିଛି । ଏହି ଜମିକୁ ୧୯୯୧ ମସିହାରେ କେନ୍ଦ୍ର ସରକାର ଅଧିଗ୍ରହଣ କରିଥିଲେ । ତେବେ ଏହି ଜମିର ଉପଯୁକ୍ତ ବ୍ୟବହାର ହୋଇ ପାରୁ ନଥିବାରୁ ଏହାକୁ ଫେରାଇବା ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି ସରକାର । ବିବାଦୟୀ ୨.୭୭ ଏକର ଜମିକୁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ୩ ଭାଗରେ ବାଂଟି ଦେଇଥିଲେ ।

ତେବେ ଏହା ବିରୋଧରେ କୋର୍ଟ ଯାଇଥିଲେ ସମସ୍ତ ପକ୍ଷ । ଏହି ବିବାଦ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହେବାର ଥିଲା । କିନ୍ତୁ ଏହି ମାମାଲାର ବିଚାର ପାଇଁ ଗଠିତ ଖଣ୍ଡପୀଠର ଜଣେ ବିଚାରପତି ଅନୁପସ୍ଥିତ ରହିବାରୁ ଆଜିର ଶୁଣାଣିକୁ ଘୁଂଚାଇ ଦିଆଯାଇଛି । ତେବେ କେବେ ପରବର୍ତି ଶୁଣାଣି ହେବ ତାହା ସ୍ଥିର ହୋଇନାହିଁ । ଅନ୍ୟପଟେ ରାମ ମନ୍ଦିର ନିର୍ମାଣ ଶୁଣାଣି ବିଳମ୍ବ ନେଇ ବିଭିନ୍ନ ସଂଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ କରନ୍ତୁ ବୋଲି ଦାବି କରୁଛନ୍ତି ବିଭିନ୍ନ ହିନ୍ଦୁ ସଂଗଠନ । ନିର୍ବାଚନ ପୂର୍ବରୁ ମନ୍ଦିର ନିର୍ମାଣ ନ କଲେ ପରିଣାମ ଭୋଗିବାକୁ ବିଭିନ୍ନ ହିନ୍ଦୁ ସଙ୍ଗଠନ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି ।