ଅନ୍ତର୍ଜାତୀୟ ଦିନିକିଆ ରାଙ୍କିଙ୍ଗ : ଏକ ନମ୍ବର ସ୍ଥାନ ହରାଇଲା ଟିମ ଇଣ୍ଡିଆ, ଅଷ୍ଟ୍ରେଲିଆ ଶୀର୍ଷରେ

156

କନକ ବ୍ୟୁରୋ : ଦିନିକିଆ ସିରିଜରେ ଭାରତକୁ ହରାଇ ଅନ୍ତର୍ଜାତୀୟ ଏକଦିବସୀୟ ରାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରିନେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ । ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୨୧ ରନରେ ହାରିଯାଇଛି ଟିମ ଇଣ୍ଡିଆ । ଶେଷଦିନକିଆରେ ଭାରତକୁ ହରାଇ ୨-୧ରେ ସିରିଜ ଜିତିନେଇଛି କଙ୍ଗାରୁ ଦଳ । ସିରିଜ ହାରିବା ସହ ଦିନିକିଆ କ୍ରିକେଟ ର୍ୟାଙ୍କିରେ ଏକ ନମ୍ବର ସ୍ଥାନ ବି ହରାଇଛି ଟିମ ଇଣ୍ଡିଆ । ଭାରତକୁ ପଛରେ ପକାଇ ଅଷ୍ଟ୍ରେଲିଆ ଏକଦିବସୀୟ ର୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଚେନ୍ନାଇର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୦ ରନର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ ।

ମିଚେଲ ମାର୍ସ ସର୍ବାଧିକ ୪୭ ଓ ଏଲେକ୍ସ କେରି ୩୮ ରନ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଁଏ ୱିକେଟ ନେଇଥିଲେ । ଅକ୍ଷର ପଟେଲ ଓ ମହମ୍ମଦ ସିରାଜକୁ ୨ଟି ଲେଖାଁଏ ୱିକେଟ ମିଳିଥିଲା । ଜବାବରେ ଭାରତ ୪୯.୧ ଓଭରରେ ସମସ୍ତ ୱିକେଟ ହରାଇ ୨୪୮ ରନ କରିବାକୁ ସକ୍ଷମ ହୋଇଥିଲା । ବିରାଟ କୋହଲି ୫୪ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କରିଥିଲେ । ଅଷ୍ଟ୍ରେଲିଆର ଆଡମ ଜାମ୍ପା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଆଷ୍ଟନ ଏଗର ଦୁଇଟି ୱିକେଟ ନେଇଥିଲେ । ୪ ବର୍ଷ ପରେ ଘରୋଇ ମାଟିରେ ଭାରତ ସିରିଜ ହାରିଛି ।