ନୂଆ ଜର୍ସି, ନୂଆ ଜୋସ…କଙ୍ଗାରୁ ଟିମକୁ ମାତ୍ ଦେବାକୁ ପ୍ରସ୍ତୁତ ବିରାଟ ବ୍ରିଗେଡ୍ । କାଲି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ।

1,112

କନକ ବ୍ୟୁରୋ : ନୂଆ ଜର୍ସି ଏବଂ ମହାମାରୀ ଭିତରେ, ନୂଆ ମାହୋଲ ସହ କାଲିଠାରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ୍ । ଶୁକ୍ରବାର ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବ ଦିନିକିଆ ସିରିଜ୍ । ସିଡନି କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଅନୁଯାୟୀ, ସକାଳ ୯ଟା ୧୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ । ତେବେ ମ୍ୟାଚର ସିଧା ପ୍ରସାରଣ ଆପଣ ସୋନିର ସ୍ପୋର୍ଟସ ଚ୍ୟାନେଲ୍ ସୋନି ସିକ୍ସ, ସୋନି ଟେନ୍୧, ସୋନି ଟେନ୍୩ରେ ଦେଖିପାରିବେ ।

କଙ୍ଗାରୁ ଟିମକୁ ମାତ୍ ଦେବା ପାଇଁ ବିରାଟ ବାହିନୀର ଯୁବ ବ୍ରିଗେଡ୍ ପ୍ରସ୍ତୁତ ଥିବା ବେଳେ ହିଟମ୍ୟାନ୍ ରୋହିତ ଶର୍ମା କିନ୍ତୁ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି । ଯାହାର ପ୍ରଭାବ ହୁଏତ ଦଳର ବ୍ୟାଟିଂ ଅର୍ଡରରେ ପରିଲକ୍ଷିତ ହୋଇପାରେ ।

୧୯୮୦-୨୦୨୦ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୪୦ଟି ଦିନିକିଆ ଖେଳାଯାଇଛି । ଆଉ ଏଥିରୁ ଅଷ୍ଟ୍ରେଲିଆ ୭୮ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଭାରତ ୫୨ଟି ମ୍ୟାଚ ଜିତିଛି, ସେହିପରି ୧୦ଟି ମ୍ୟାଚ୍ ଡ୍ର ହୋଇଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମାଟିରେ ଉଭୟ ଦେଶ ମୋଟ୍ ୫୧ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି, ଆଉ ସେଥିରୁ ଅଷ୍ଟ୍ରେଲିଆ ୩୬ଟି ମ୍ୟାଚରେ ବାଜିମାତ୍ କରିଥିବା ବେଳେ ଭାରତ ମାତ୍ର ୧୩ଟି ମ୍ୟାଚରେ ବିଜୟୀ ହୋଇପାରିଛି ।

ତେବେ କାଲିର ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିବ । କାରଣ ନିକଟରେ ଖେଳାଯାଇଥିବା ଆଇପିଏଲରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳୀ ଭଲ ପ୍ରଦର୍ଶନ କରିଥିଲେ । ଆଉ ସମସ୍ତଙ୍କର ଭଲ ଫର୍ମ ରହିଥିବାରୁ କାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ।

ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେଏଲ ରାହୁଲ (ୱିକେଟ୍ ରକ୍ଷକ), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ଜସପ୍ରିତ ବୁମରା, ନଭଦୀପ ସଇନି, ସାର୍ଦ୍ଦୁଲ ଠାକୁର, ମୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ୍, କୁଲଦୀପ ଯାଦବ, ଶୁଭମାନ ଗିଲ ।

ଅଷ୍ଟ୍ରେଲିଆ ଦଳ : ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍ନସ ଲାବୁସାଗ୍ନେ, ମାର୍କସ ଷ୍ଟଏନିସ, ଆଲେକ୍ସ କ୍ୟାରି (ୱିକେଟ୍ ରକ୍ଷକ), ପାଟ୍ କ୍ୟୁମିନ୍ସ, ମିଚେଲ୍ ଷ୍ଟାର୍କ, ଆଦାମ୍ ଜାମ୍ପା, ଜୋସ୍ ହେଜେଲଉଡ୍, ଆସଟୋନ ଆଗର, ମୋଏସେସ ହେନରିସ୍କ, ମାଥ୍ୟୁ ୱାଡେ, ସିନ୍ ଆବଟ୍, ଆଣ୍ଡ୍ରୁ ଟାଏ, କ୍ୟାମେରନ୍ ଗ୍ରୀନ୍, ଡାନିଏଲ୍ ସାମ୍ସ ।