କନକ ବ୍ୟୁରୋ: ସୁପ୍ରିମକୋର୍ଟ ଆସନ୍ତା ଏପ୍ରିଲ ୨୪ ତାରିଖରେ ଅତିକ୍ ଅହମଦ ହତ୍ୟା ମାମଲାର ଶୁଣାଣି କରିବେ। ଏପ୍ରିଲ ୧୫ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ତା’ ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ଦାବି କରି ‌କୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଛି। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଏକ ନିରପେକ୍ଷ କମିଟି ଏହି ହତ୍ୟା ମାମଲାର ତଦନ୍ତ କରିବାପାଇଁ ଓକିଲ ବିଶାଲ ତିୱାରୀ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ ଆସନ୍ତା ଏପ୍ରିଲ ୨୪ ତାରିଖରେ ଶୁଣାଣି କରିବେ ବୋଲି କହିଛନ୍ତି।

Advertisment

ଅନ୍ୟପଟେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମଦର ଓକିଲଙ୍କ ଘର ବାହାରେ ଆଜି ବୋମା ମାଡ଼ ହୋଇଛି। ଉତ୍ତରପ୍ରଦେଶ ପ୍ରୟାଗରାଜର କାଟରା ଅଞ୍ଚଳ ସ୍ଥିତ ଅତିକର ଓକିଲ ଘର ବାହାରେ ଆଜି ବୋମା ନିକ୍ଷେପ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳରେ ଭୟ ଖେଳାଇବାପାଇଁ ଏହି ବୋମା ନି‌କ୍ଷେପ କରାଯାଇଥିଲା। କିନ୍ତୁ ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ପୁଲିସ କହିଛି ଏହା କୌଣସି ଟାର୍ଗେଟ୍‌ ଆକ୍ରମଣ ନୁହେଁ। ଉଲ୍ଲେଖଯୋଗ୍ୟ, ଅତିକ ଅହମଦ ଏବଂ ତା’ ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଥିଲା। ସେମାନଙ୍କୁ ମେଡିକାଲ ଚେକ୍‌ଅପ୍‌ ପାଇଁ ନିଆଯାଉଥିବାବଳେ ସାମ୍ବାଦିକ ବେଶରେ କିଛି ବ୍ୟକ୍ତି ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ।