ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ୯୩ ବର୍ଷ ବୟସରେ ପରଲୋକ

250

କନକ ବ୍ୟୁରୋ: ଚିରନିଦ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଭାରତ ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ପରଲୋକ । ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଅପରଜେୟ ନେତା ଅଟଳବିହାରୀ ବାଜପେୟୀ । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଗୁରବାର ସନ୍ଧ୍ୟା ୫ଟା ୫ ମିନିଟରେ ଇହଧାମ ତ୍ୟାଗ କରିଛନ୍ତି ବାଜପେୟୀ । ତେବେ ତାଙ୍କର ଶେଷ ଦର୍ଶନ ପାଇଁ ମେଡିକାଲ ବାହାରେ ସମର୍ଥକ ଭିଡ ଲାଗିଛି । ତାଙ୍କ ବିୟୋଗରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀ ବାଜପେୟୀଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। କବି, ଦାର୍ଶନିକ, ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ ପରି ଜଣେ ପ୍ରିୟପୁତ୍ରକୁ ହରାଇ ଆଜି ଭାରତର ଜନସାଧାରଣ ଶୋକାଭିଭୂତ ହୋଇ ପଡ଼ିଛନ୍ତି। କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେବେଠାରୁ ବାଜପେୟୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା । ମଙ୍ଗଳବାର ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାର ଗୁରୁତର ଅବନତି ଦେଖା ଦେବା ପରେ ଗତକାଲି ସନ୍ଧ୍ୟାରୁ ଏମ୍ସ ହସ୍ପିଟାଲରେ ନେତାଙ୍କ ଭିଡ ଲାଗିଛି।

ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରୁଥିଲେ । ବିଶେଷ କରି ସେ କାହାକୁ ଚିହ୍ନି ପାରୁ ନଥିଲେ କିମ୍ବା ତାଙ୍କର କିଛି ମନେ ରହୁନଥିଲା । ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ଥିଲେ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲେ ।

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ପାତ୍ର ହୋଇଥିଲେ । ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଥିଲେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ।