ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି! ଏମ୍ସରେ ବାଜପେୟୀଙ୍କୁ ଭେଟିଲେ ମୋଦି

52

କନକ ବ୍ୟୁରୋ : ସାରା ଦେଶ ଆଜି ଧୂମଧାମରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦେଶର ଲୋକପ୍ରିୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଗତ ୪୮ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସ ଯାଇ ବାଜପେୟୀଙ୍କୁ ଭେଟିଛନ୍ତି ।ପାଖାପାଖି ୪୫ ମିନିଟ ଧରି ଏମ୍ସରେ ରହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏମ୍ସ କର୍ତ୍ତୃପକ୍ଷ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସର୍ମ୍ପକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।ଏପରିକି ଏକ ଅଭିଜ୍ଞ ଡାକ୍ତରୀ ଟିମ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

ମଙ୍ଗଳବାର ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଛି । ୯୩ ବର୍ଷିୟ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ବାଜପେୟୀ ଗତ ଜୁନ ୧୧ ତାରିଖ ଠାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦି ବାଜପାୟୀଙ୍କୁ ଦେଖିବା ପାଇଁ ଏମ୍ସ ଯାଇଛନ୍ତି । ବାଜପେୟୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଅନେକ ଦିନ ଧରି ଅତ୍ୟନ୍ତ ଖରାପ ରହିଛି । ଡିମେନସିୟା ନାମକ ଏକ ରୋଗରେ ବାଜପେୟୀ ପୀଡିତ ଥିବା ଜଣାପଡିଛି । ୨୦୦୯ ମସିହାଠାରୁ ସେ ହ୍ୱିଲ ଚେୟାରରେ ଥିବା ଜଣାପଡିଛି ।

ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବର୍ତ୍ତମାନ ବିଭିନ୍ନ ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି । ବିଶେଷ କରି ସେ ବର୍ତ୍ତମାନ କାହାକୁ ଚିହ୍ନି ପାରୁ ନାହାନ୍ତି କିମ୍ବା ତାଙ୍କର କିଛି ମନେ ରହୁନାହିଁ । ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ପାତ୍ର ହୋଇଛନ୍ତି । ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଜଣେ ପ୍ରଚଣ୍ଡ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା ।