ଅଟଳ ଯୁଗର ଅନ୍ତ : ଭାରତରତ୍ନ ବାଜପେୟୀଙ୍କୁ ଝୁରୁଛି ସାରା ଭାରତ

48

ପୂର୍ବତନ  ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବାଜପେୟୀଙ୍କ ପରଲୋକ ସହିତ ଭାରତୀୟ ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି ।

ତାଙ୍କ ସମ୍ପର୍କରେ ପ୍ରଥାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି କହିଛନ୍ତି ଯେ  “ସେ ନିଜ ଜୀବନ ପ୍ରତିଟି କ୍ଷଣ ରାଷ୍ଟ୍ର ପାଇଁ ସମର୍ପିତ କରିଦେଇଥିଲେ, ଅନେକ ବର୍ଷ ଧରି ରାଷ୍ଟ୍ରର ସେବା କରିଚାଲିଥିଲେ । ତାଙ୍କ ପରଲୋକ ଏକ ଯୁଗର ଅନ୍ତ । ସେ ଆଦି ଆମ ଗହଣରେ ନାହାନ୍ତି ସତ, ସେ ପ୍ରତି ଭାରତବାସୀଙ୍କ ସହ ସବୁବେଳେ ରହିବେ , ପ୍ରେରଣା ଦେଇଚାଲିବେ ।”

ବାଜେପେୟୀଙ୍କ ମୃତ୍ୟୁ ଖବର ଆସିବା ପରେ ହିଁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏମ୍ସରେ ଯାଇ ବାଜପେୟୀଙ୍କ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି ।

୨୫ ଡିସେମ୍ବର ୧୯୨୪ରେ  ମଧ୍ୟପ୍ରଦେଶର ଗ୍ଵାଲିୟରରେ ଜନ୍ମଗ୍ରହଣ କରିଥିବା ଅଟଳଜୀ କିଶୋର ବୟସରୁ ହିଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ଜଣେ ପ୍ରଚାରକଭାବେ ଯୋଗ ଦେଇଥିଲେ । ଯୁବାବସ୍ଥାରେ ସେ  ସଂଘ ନେତା ଦୀନଦୟାଲ ଉପାଧ୍ୟାୟଙ୍କ ସମ୍ବାଦପତ୍ର ରାଷ୍ଟ୍ରଧର୍ମ ଓ ପରେ ସଂଘ ମୁଖପତ୍ର ପଂଚଜନ୍ୟରେ  ଯୋଗ ଦେଲେ । ସ୍ୱାଧୀନତାପରେ ସେ ଆରଏସ୍‌ଏସ୍‌ର ରାଜେନୈତିକ ସଂଗଠନ ଭାରତୀୟ ଜନସଂଘରେ ଯୋଗ ଦେଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର ବଳରାମପୁରରୁ  ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ସେ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଲାଗୁ ଜରୁରୀପରିସ୍ଥିତିବେଳେ ଗିରଫ ହୋଇଥିଲେ । ୧୯୭୭ରେ ସେ ଜନତାଦଳ ସରକାରରେ ବିଦେଶମନ୍ତ୍ରୀ ନିଯୁକ୍ତ ହେଲେ । ଏହି ସମୟରେ ହିଁ ସେ ଜାତିସଂଘ ସାଧାରଣ ପରିଷଦରେ ପ୍ରଥମ ଥର ପାଇଁ ହିନ୍ଦୀର ଭାଷଣ ଦେଇ ବେଶ ଚର୍ଚ୍ଚିତ ହୋଇପାରିଥିଲେ । ତେବେ ୯୦ ଦଶକରେ ସେ ନିଜ ରାଜନୈତିକ ଜୀବନର ଶୀର୍ଷରେ ପହଞ୍ଚିପାରିଥିଲେ । ୧୯୯୬ରୁ ୨୦୦୪ ମଧ୍ୟରେ ସେ ଲଗାତାର ୩ ଥର ପାଇଁ ପ୍ରଥାନମନ୍ତ୍ରୀ ହୋଇପାରିଥିଲେ । ପ୍ରଥମେ ୧୯୯୬ରେ ୧୩ ଦିନ ପାଇଁ, ୧୯୯୮ରେ ୧୩ ମାସ ପାଇଁ ଓ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୮ରେ ସେ ପୋଖରାନଠାରେ ପରମାଣୁ ପରୀକ୍ଷଣ କରି ସାରା ବିଶ୍ୱକୁ ଚମକାଇଦେଇଥିଲେ ।